ଯୌତୁକ ନିର୍ଯାତନା ଓ ପତ୍ନୀ ହତ୍ୟା ଅଭିଯୋଗରେ ସ୍ୱାମୀ ଗିରଫ
ଭୁବନେଶ୍ୱର : ପତ୍ନୀଙ୍କୁ ନିର୍ଯାତନା ଓ ହତ୍ୟା କରିବା ଅଭିଯୋଗରେ ଇନଫୋସିଟି ଥାନା ପୋଲିସ ଅଭିଯୁକ୍ତ ସ୍ୱାମୀକୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ଜଣକ କଳାରାହାଙ୍ଗରେ ରହୁଥିବା ଦେବଗଡର ବିଶ୍ୱସଂପଦ ଶତପଥୀ । ପୋଲିସ ଏନେଇ ଏକ ମାମଲା ରୁଜୁ କରି ଅଭିଯୁକ୍ତକୁ କୋର୍ଟ ଚାଲାଣ କରିଛି ।
ସୂଚନାଯୋଗ୍ୟ ଯେ,ଗତ ୨୦୨୧ ମସିହାରେ ଅଭିଯୋଗକାରିଣୀଙ୍କର ଝିଅ ମୃତା ତପୋଶ୍ୱନିଙ୍କର ଅଭିଯୁକ୍ତ ବିଶ୍ୱସଂପଦ ଶତପଥୀଙ୍କ ସହିତ ବୈଦିକ ରୀତିରେ ବିବାହ ହୋଇଥିଲା । ବିବାହ ପରେ ଉଭୟେ ଭୁବନେଶ୍ୱର ଚାଲି ଆସିଥିଲେ ଓ ବେସରକାରୀ ଚାକିରି କରିବା ସହ କଳାରାହାଙ୍ଗ ସ୍ଥିତ ଏକ ଘରେ ଭଡାରେ ରହି ଆସୁଥିଲେ । ଅଭିଯୁକ୍ତ ବିଶ୍ୱ ତାଙ୍କର ସ୍ତ୍ରୀଙ୍କୁ ଯୌତୁକ ଆଶା କରି ନିର୍ଯ୍ୟାତନା ଦେଇ ଆସୁଥିଲେ ।
ଗତ ତା ୨୫.୧୨.୨୦୨୪ ରିଖ ରେ ମଧ୍ୟାହ୍ନ ଭୋଜନ ସାରିବା ପରେ ଅଭିଯୁକ୍ତ ବିଶ୍ୱ ଫୋନ ପେ ଭରଚୁଆଲ ଗୋଲ୍ଡ ବଣ୍ଡରୁ ୧୦୦୦୦/- ଟଙ୍କା ଉଠାଇଥିଲେ ଓ ତାଙ୍କର ପୋଷା କୁକୁରକୁ ଚିକିତ୍ସା ପାଇଁ ହସ୍ପିଟାଲକୁ ନେଇଥିଲେ । ସେଠାରୁ ପ୍ରାୟ ୪ ଟାରେ ଘରକୁ ଫେରି ଆସିଥିଲେ ଓ ମୃତା ଙ୍କୁ ୨୩୦୦/- ଟଙ୍କା ଦେଇଥିଲେ । ଏହି ଘଟଣା ପରେ ଉଭୟଙ୍କ ମଧ୍ୟରେ ଝଗଡା ହୋଇଥିଲା ଓ ବିଶ୍ୱ ଅଶ୍ରାବ୍ୟ ଭାଷାରେ ଗାଳି ଗୁଲଜ କରିଥିଲେ । ଏଥିରେ ରାଗିଯାଇ ତପୋଶ୍ୱନି ଘରୁ ବାହାରି ଯାଇଥିଲେ ଓ କିଛି ସମୟ ପରେ ଅଭିଯୁକ୍ତ ବିଶ୍ୱ ମଧ୍ୟ ଘରୁ ବାହାରକୁ ଚାଲି ଯାଇଥିଲେ ।
କିଛି ସମୟ ପରେ ଅଭିଯୁକ୍ତ ବିଶ୍ୱ ଘରକୁ ଫେରିଥିଲେ ଓ ଛାତ ଉପରକୁ ଯାଇ ତାଙ୍କର ବନ୍ଧୁଙ୍କ ସହିତ କଥା ହୋଇଥିଲେ । ସମୟ ପ୍ରାୟ ରାତି ୮.୩୦ ରେ ଘରକୁ ଫେରିବା ପରେ ସେ ତପୋଶ୍ୱନିଙ୍କୁ ଓଢଣୀରେ ଝୁଲୁ ଥିବାର ଦେଖି ଚିତ୍କାର କରିଥିଲେ । ଚିତ୍କାର ଶୁଣି ପଡୋଶୀମାନେ ସେଠାକୁ ଚାଲି ଆସିଥିଲେ ଓ ତପୋଶ୍ୱନିଙ୍କୁ ହସ୍ପିଟାଲକୁ ନେଇ ଯାଇଥିଲେ । ହସ୍ପିଟାଲରେ ମେଡ଼ିକାଲ ଅଫିସର ତାଙ୍କୁ ମୃତ ଘୋଷଣା କରିଥିଲେ । ଏହି ଘଟଣାର ପରଦିନ ତପୋଶ୍ୱନିଙ୍କ ମା ଏନେଇ ଅଭିଯୋଗ କରିଥିଲେ । ଅଭିଯୋଗ ଆଧାରରେ ପୁଲିସ ତଦନ୍ତ କରିବା ସହ ନିମ୍ନୋକ୍ତ ଅଭିଯୁକ୍ତଙ୍କୁ ଗିରଫ କରିଥିଲେ ।