ମାତୃଜାତିର ଅସମ୍ମାନ ବିଜେଡିର ଚରିତ୍ର: ଡା. ଐଶ୍ୱର୍ଯ୍ୟା ବିଶ୍ୱାଳ

0

ଭୁବନେଶ୍ୱର,: ପବିତ୍ର ବିଧାନସଭା ଗୃହରେ ବାଚସ୍ପତିଙ୍କ ଉପରେ ଆକ୍ରମଣ ଭଳି ସ୍ଥିତି ସୃଷ୍ଟି କରି ଜଣେ ମହିଳାଙ୍କ ଉପରେ ବିଜେଡି ବିଧାୟକଙ୍କ ବ୍ୟବହାର/ଆଚରଣ ଅତ୍ୟନ୍ତ ଲଜ୍ଜାଜନକ, ଦୁର୍ଭାଗ୍ୟଜନକ ଓ ଦୁଃଖଦାୟକ । ଗଣତାନ୍ତ୍ରିକ ବ୍ୟବସ୍ଥାରେ ଜଣେ ମହିଳା ବାଚସ୍ପତିଙ୍କୁ ସର୍ବାଧିକ ସମ୍ମାନ ଦେବା ବଦଳରେ ବିରୋଧୀ ଦଳର ଏପରି ବ୍ୟବହାର ସମଗ୍ର ଓଡ଼ିଶବାବାସୀଙ୍କୁ ବ୍ୟଥିତ କରିଛି । ମହିଳାମାନଙ୍କୁ ଅସମ୍ମାନ ଓ ଦୁର୍ବ୍ୟବହାର କରିବା ବିଜେଡିର ଚରିତ୍ର ।

ଗତ ୨୪ବର୍ଷ ଶାସନରେ ମହିଳାଙ୍କ ପ୍ରତି ଅପରାଧ ସୀମା ଲଂଘିଥିଲା । ବିଜେଡି ସରକାର ସମୟରେ ମହିଳାଙ୍କ ପ୍ରତି ଯେଉଁ ଭଳି ଅପରାଧ ହୋଇଥିଲା, ବୋଧହୁଏ ଅନ୍ୟ କୌଣସି ରାଜ୍ୟରେ ସେପରି ହୋଇ ନ ଥିଲା । ଏହି ସରକାର ସମୟରେ ସାଇବର କ୍ରାଇମଠାରୁ ଆରମ୍ଭ କରି ଅନ୍ୟାନ୍ୟ ମହିଳା ବିରୋଧୀ ଅପରାଧିକ କାର୍ଯ୍ୟକଳାପରେ ଓଡ଼ିଶା ଏକ ନମ୍ବର ଥିଲା । ବିଜେଡି ଦଳ ସବୁବେଳେ ମହିଳାଙ୍କୁ ଅସମ୍ମାନ କରିଛି । ସେଥିପାଇଁ ଲୋକେ ତାଙ୍କୁ ଜବାବ ଦେଇଛନ୍ତି ବୋଲି ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ମହିଳାମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ଡା. ଐଶ୍ୱର୍ଯ୍ୟା ବିଶ୍ୱାଳ କହିଛନ୍ତି ।

ଡା. ବିଶ୍ୱାଳ କହିଛନ୍ତି ଯେ, ଗତ ୨୪ ବର୍ଷ ଶାସନରେ ରହିବା ପରେ ଓଡ଼ିଶାକୁ ବିଜେଡି ନିଜର ଜାଗିର ବୋଲି ଭାବୁଥିଲା । କ୍ଷମାତାଚ୍ୟୁତ ହେବାପରେ ଦଳ ତାକୁ ସହଜରେ ଗ୍ରହଣ କରି ନ ପାରି ଗୃହରେ ନିଜର ହତାଶାଭାବ ପ୍ରଦର୍ଶିତ କରିଛି । ମହିଳାମାନଙ୍କୁ ଅସମ୍ମାନ କରିବା ସେମାନଙ୍କ ସ୍ୱଭାବ ହୋଇଥିବାରୁ ଆଜି ମହିଳା ବାଚସ୍ପତିଙ୍କୁ ମାଡ଼ ମାରିବା ପାଇଁ ବିଜେଡି ଦଳର ବିଧାୟକମାନେ ପୋଡିୟମ ଉପରକୁ ଚଢ଼ି ଆସିଥିଲେ । ସଭ୍ୟ ସମାଜରେ ମହିଳା ବାଚସ୍ପତିଙ୍କ ଉପରକୁ ଏପରି ଆକ୍ରମଣ ସହଜରେ ଗ୍ରହଣ କରାଯାଇ ନ ପାରେ । ବିଧାନସଭା ଗୃହ ଭିତରେ ମହିଳା ବାଚସ୍ପତିଙ୍କୁ ସମ୍ମାନ ଦେଉ ନ ଥିବା ଦଳ ନିଜ ବିଧାନସଭା କ୍ଷେତ୍ରରେ କିପରି ମହିଳାଙ୍କୁ ସମ୍ମାନ ଦେଉଥିବ ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏହି ଘଟଣାକୁ ଭାରତୀୟ ଜନତା ପାର୍ଟି ଏବଂ ଓଡ଼ିଶାବାସୀ ତୀବ୍ର ନିନ୍ଦା କରୁଛନ୍ତି । ଏଭଳି ସ୍ଥିିତିରେ ବିଜେଡିର ମହିଳା ବିଧାୟକମାନେ ନିରବ ରହିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଛି । ମାନନୀୟା ପୂର୍ବତନ ବାଚସ୍ପତି ପ୍ରମିଳା ମଲ୍ଲିକଙ୍କ ନିରବତା ତାଙ୍କ ଅସହାୟତାକୁ ପ୍ରକଟ କରୁଛି ।

ରାଜ୍ୟବାସୀଙ୍କ ସ୍ୱାର୍ଥ ପାଇଁ ବିଜେପି ସବୁବେଳେ ସବୁ ବିଷୟରେ ବିତର୍କ ପାଇଁ ପ୍ରସ୍ତୁତ । ଯଦି ଗୃହ ଚାଲନ୍ତା ମଦ ମୃତ୍ୟୁ ପ୍ରସଙ୍ଗରେ ସବୁ ଦଳର ସଦସ୍ୟମାନେ ପୁଙ୍ଖାନୁପୁଙ୍ଖଭାବେ ଆଲୋଚନା କରିପାରିଥାନ୍ତେ । ମାତ୍ର ଏଭଳି ନ କରି ଗୃହ ଚାଳିଥିବା ସମୟରେ ବିଜେଡି ଦଳ ଯେଉଁଭଳି ହିଂସ୍ର ଆଚରଣ କଲେ ସେଥିରୁ କିଛି ଲୁଚାଇବାକୁ ଚେଷ୍ଟା କରାଯାଉଥିବା ପ୍ରତୀୟମାନ ହେଉଛି । ଗତ ୨୪ ବର୍ଷ ଧରି ବେଆଇନ ମଦ କାରବାର ମାଧ୍ୟମରେ ଦଳୀୟ ଚାନ୍ଦା ଓ ଦଳର ନେତାଙ୍କ ହାତ ପାଣ୍ଠି ବିଜେଡି ଯୋଗାଡ କରିଛି । ଏଣୁ ମଦ ମୃତ୍ୟୁ ଘଟଣାରେ ସତ୍ୟ ସାମ୍ନାକୁ ଆସୁ ବୋଲି ସେମାନେ ଚାହୁନାହାଁନ୍ତି ।

ସତ ଲୁଚାଇବା ପାଇଁ ଜଣେ ମହିଳା ବାଚସ୍ପତିଙ୍କୁ ଅସମ୍ମାନିତ କରିବାକୁ ସେମାନେ ଉଦ୍ୟମ କରିଛନ୍ତି । ତାଙ୍କ ନେତା ନବୀନ ପଟ୍ଟନାୟକ ନିର୍ଦ୍ଦେଶରେ ଦଳର ବିଧାୟକମାନେ ଏପରି ଘଟଣା ଘଟାଇଛନ୍ତି । ମହିଳାଙ୍କୁ ଏପରି ଆକ୍ରମଣ କରିଥିବାରୁ, ବିଜେଡି ତଥା ବିରୋଧୀ ଦଳ ନେତା ନବୀନ ତାଙ୍କୁ ଆସି କ୍ଷମା ମାଗନ୍ତୁ । ଜଗନ୍ନାଥ ସଂସ୍କୃତିରେ ସବୁବେଳେ ମହିଳାମାନଙ୍କୁ ସମ୍ମାନ ଦିଆଯାଏ । ଏହାକୁ ଦୃଷ୍ଟିରେ ରଖି ବିଧାୟକ ଓ ନେତାମାନେ ମହିଳାଙ୍କୁ ସମ୍ମାନ ଦିଅନ୍ତୁ ବୋଲି ଡା. ବିଶ୍ୱାଳ ଅନୁରୋଧ କରିଛନ୍ତି ।

ଏହି ଅବସରରେ ମହିଳାମୋର୍ଚ୍ଚାର ରାଜ୍ୟ ଉପସଭାନେତ୍ରୀ ଡ. ପ୍ରୀତିପ୍ରତିଭା ଭୋଳ, ଡ. ରଞ୍ଜିତା ସେଠୀ ଓ ସାଧାରଣ ସମ୍ପାଦକ ଶ୍ରୀମତି ରଶ୍ମିତା ଦାସ ପ୍ରମୁଖ ଉପସ୍ଥିତ ଥିଲେ ।

Leave a comment