ମହିଳା ଟିକେଟ କାଉଣ୍ଟର ଆଗରେ ଧସ୍ତାଧସ୍ତି, ପୋଲିସର ମୃଦୁ ଲାଠିଚାଳନା
ଭାରତ-ଦକ୍ଷିଣ ଆଫ୍ରିକା ଟି-ଟେ୍ଵଣ୍ଟି
କଟକ(ଓଡ଼ିଶା ଫାଷ୍ଟ ବ୍ୟୁରୋ): ବାରବାଟୀରେ ଟି-ଟେ୍ଵଣ୍ଟି ଟିକେଟ ପାଇଁ ମହିଳା କାଉଣ୍ଟର ଆଗରେ ଧସ୍ତାଧସ୍ତି ହେବାକୁ ପୋଲିସକୁ ମୃଦୁ ଲାଠିଚାଳନା କରିବାକୁ ପଡ଼ିଥିଲା। ଅନ୍ୟ କାଉଣ୍ଟର ଗୁଡ଼ିକ ଆଗରେ ବି ସମାନ ସ୍ଥିତି ଦେଖିବାକୁ ମିଳିଥିଲା। ପୋଲିସ ଲାଠିଚାଳନା ସହ ପାଣି ମାଡ଼ କରିଥିଲା। ଭାରତ-ଦକ୍ଷିଣ ଆଫ୍ରିକା ଟି-ଟେ୍ଵଣ୍ଟି ପାଇଁ ଦର୍ଶକଙ୍କ ଭିତରେ ନାହିଁ ନଥିବା ଉତ୍କଣ୍ଠା ଦେଖିବାକୁ ମିଳିଛି। ମ୍ୟାଚକୁ ମଝିରେ ଆଉ ଦୁଇ ଦିନ ରହିଲା। ଆଜିଠୁ ସର୍ବସାଧାରଣ ଦର୍ଶକଙ୍କ ପାଇଁ ଟିକେଟ୍ ବିକ୍ରି ଆରମ୍ଭ ହୋଇଛି । ସନ୍ଧ୍ୟା ୬ଟା ଯାଏ ଚାଲିବ ଟିକେଟ ବିକ୍ରି ।
କାଉଣ୍ଟରରେ ବିକ୍ରି ହେବାକୁ ଥିବା ଟିକେଟରୁ ୧ ହଜାର ୩୬୨ଟି ଦାମୀ ଟିକେଟ ଥିବାବେଳେ ୧୦ହଜାର ୭୩୧ଟି ଗ୍ୟାଲେରୀ ଟିକେଟ ରହିଛି । ଜଣେ ବ୍ୟକ୍ତି ପରିଚୟପତ୍ର ଦେଖାଇ ସର୍ବାଧିକ ୨ଟି ଟିକେଟ କିଣୁଛନ୍ତି । ସମସ୍ତ ଟିକେଟ ବିକ୍ରି ହୋଇନପାରିଲେ ଆସନ୍ତାକାଲି ପୁଣି ୯ଟାରୁ କାଉଣ୍ଟର ଖୋଲିବ । ଟିକେଟ ବିକ୍ରି ବେଳେ ଭିଡ଼ ନିୟନ୍ତ୍ରଣ ପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି ।