ଭିଜିଲାନ୍ସ ଜାଲରେ ଇଡକୋର ଜୁନିୟର ମ୍ୟାନେଜର, ବିପୁଳ ପରିମାଣର ସମ୍ପତ୍ତି ଠାବ
ଭୁବନେଶ୍ୱର : ଇଡକୋର ଜୁନିୟର ମ୍ୟାନେଜର ବିଜୟ କୁମାର ଉଦୟସିଂହ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି । ଆଜି ତାଙ୍କ ଘର ସମେତ ମୋଟ ୬ ଠିକଣାରେ ଭିଜିଲାନ୍ସ ପକ୍ଷରୁ ଏକକାଳୀନ ଚଢ଼ାଉ କରାଯାଇଛି । ଚଢାଉ ବେଳେ ତାଙ୍କର ଅଚଳାଚଳ ସଂପତ୍ତି ଠାବ ହୋଇଛି ।
ଭୁବନେଶ୍ୱରର ରାଜାରାଣୀ ମୌଜାର ଆର୍ଯ୍ୟ ବିହାରରେ ତାଙ୍କର ଏକ ଚାରି ମହଲା କୋଠା ରହିଛି । ଏହାର ଦାମ ୩.୨୨ କୋଟି ବୋଲି ଆକଳନ କରିଛି ଭିଜିଲାନ୍ସ । । ପାଖାପାଖି ୭୫୦୦ ବର୍ଗଫୁଟ ଜମିରେ ଛିଡ଼ା ହୋଇଥିବା ଏହି ୪ ମହଲା କୋଠାଟି କୌଣସି ରାଜକୀୟ ବଙ୍ଗଳାଠାରୁ କମ୍ ନୁହେଁ । ଏହି କୋଠାର ସମସ୍ତ ଦ୍ୱାରରେ ସେନ୍ସର ଲାଗିଛି । ଡ୍ରଇଂ ରୁମ୍ଠାରୁ ଆରମ୍ଭ କରି ବେଡ୍ ରୁମ୍- ସବୁଠି ରହିଛି ସେନ୍ସର ଲକିଂ ବ୍ୟବସ୍ଥା ରହିଛି । ଘରର ଡିଜାଇନ ଆଖି ଖୋସିଲା ଭଳି ହୋଇଛି । ଘର ସାରା ଇମ୍ପୋର୍ଟେଡ୍ ଉପକରଣ ଦେଖିବାକୁ ମିଳିଛି । ଖାଲି ସେତିକି ନୁହେଁ, ବାବୁଙ୍କ ଏହି ଆଲିଶାନ ବଙ୍ଗଳାରେ ୩୨ଟି ଫ୍ୟାନ ଓ ୧୨ଟି ଏସି ଲାଗିଛି ।
ପୁରୀ ଜିଲ୍ଲାର ବାଲୁଖଣ୍ଡ ମୌଜାରେ ଶ୍ରୀ ଉଦୟସିଂହଙ୍କର ଏକ ଫ୍ଲାଟ ଅଛି । ଭୁବନେଶ୍ୱର ଓ ଖୋର୍ଦ୍ଧାରେ ତାଙ୍କର ମୋଟ ୩ଟି ପ୍ଲଟ ଅଛି । ସେଥିରୁ ଦୁଇଟି ଭୁବନେଶ୍ୱରର ପ୍ରମୁଖ ସ୍ଥାନରେ ରହିଛି । ତାଙ୍କର ୩ଟି ଜମି ଅଛି । ସେଥିରୁ ଦୁଇଟି ଭୁବନେଶ୍ୱରର ରାଜରାଣୀ ମୌଜାରେ ରହିଛି । ଆଉ ଗୋଟିଏ ଖୋର୍ଦ୍ଧାର ପ୍ରତାପ ଶାସନରେ ଅଛି । ଏଗୁଡ଼ିକ ଦର ବେଶ୍ ଅଧିକ ବୋଲି ଭିଜିଲାନ୍ସ ପକ୍ଷରୁ କୁହାଯାଇଛି । ତାଙ୍କର ଏହି ସବୁ ପ୍ଳଟ ଓ ଜମିର ପ୍ରକୃତ ମୂଲ୍ୟ ଜାଣିବା ପାଇଁ ମାପଚୂପ କରିଛି ଭିଜିଲାନ୍ସ ।
ବିଜୟ କୁମାର ଉଦୟସିଂହ ବ୍ୟାଙ୍କରେ ୩୩ ଲକ୍ଷ ଟଙ୍କା ଜମା ରଖିଛନ୍ତି । ତାଙ୍କ ଘରୁ ନଗଦ ୪ ଲକ୍ଷ ୫୦ ହଜାର ଜବତ କରାଯାଇଛି । ସେହିପରି ତାଙ୍କର ଗୋଟିଏ ଦୁଇ ଚକିଆ ଗାଡ଼ି ରହିଛି । ସୁନା ଅଳଙ୍କାର ମଧ୍ୟ ଜବତ କରାଯାଇଛି । ତାଙ୍କର ଅନ୍ୟାନ୍ୟ ଜମା ଓ ନିବେଶ ସଂପର୍କରେ ଜାଣିବା ପାଇଁ ଭିଜିଲାନ୍ସ ପକ୍ଷରୁ ତଦନ୍ତ ଜାରି ରହିଛି ।