ବ୍ଲାକରେ ହକି ଟିକେଟ ବିକ୍ରି କରୁଥିଲେ, ଗିରଫ ହେଲେ ୫ଜଣ
ଏଫଆଇଏଚ୍ ଓଡ଼ିଶା ହକି ପୁରୁଷ ବିଶ୍ୱକପ ୨୦୨୩ ପାଇଁ ସମଗ୍ର ଓଡ଼ିଶାରେ ପ୍ରବଳ ଉତ୍ସାହ ରହିଛି। ରାଉରକେଲା ଓ ଭୁବନେଶ୍ବରରେ ହେଉଥିବା ମ୍ୟାଚକୁ ଦେଖିବା ପାଇଁ ପ୍ରବଳ ଭିଡ ହେଉଛି। ପୂର୍ବରୁ ଅନ୍ଲାଇନରେ ଟିକେଟ ବିକ୍ରି ସରିଥିବା ବେଳେ ଅଫଲାଇନରେ ପ୍ରାୟତ ଟିକେଟ ସରିଯାଇଛି। ହକି ବିଶ୍ବକପ୍ର ଟିକେଟ୍ ଖଣ୍ଡିଏ ପାଇଁ କିଏ ଦିନତମାମ ଖରାରେ ଠିଆ ହୋଇ ହୋଇ ଖାଲି ହାତରେ ଫେରିଛି ତ କିଏ ଅନଲାଇନ୍ରେ କାଟିବାକୁ ଯାଇ ବାରମ୍ବାର ବିଫଳ ହୋଇଛି।
ଭାରତ ନ ଖେଳୁ ପଛେ, ଯେକୌଣସି ମ୍ୟାଚ୍ର ପାସ୍ ଖଣ୍ଡିଏ ମିଳିଗଲେ କେମିତି ଭିତରୁ ଟିକେ ବୁଲି ଆସନ୍ତେ, ସେଥିପାଇଁ ଖେଳପ୍ରେମୀ ବିଭିନ୍ନ ପ୍ରକାର କସରତ ଚଳାଇଛନ୍ତି। ଆଉ ଏହାର ଫାଇଦା ଉଠାଇଛନ୍ତି କେତେକ କଳାବଜାରୀ। ଏପରି ସୁଯୋଗରେ ଅନଲାଇନ୍ରେ ଚଢ଼ା ଦାମରେ ଟିକେଟ ବିକ୍ରି କରି ମାଲେମାଲ ହେଉଥିବା ୫ ଜଣଙ୍କୁ ବାନ୍ଧିଛି ଶହୀଦ ନଗର ଥାନା ପୁଲିସ୍।
ଏହି କଳାବଜାରୀମାନେ ୧୦୦ ଟଙ୍କାର ଟିକେଟକୁ ହଜାରେ ଟଙ୍କା, ୨ ଶହ ଟିକଟକୁ ୨ ହଜାର ଓ ୫ ଶହ ଟଙ୍କାର ଟିକଟକୁ ୪ ହଜାର ଟଙ୍କାରେ ବିକ୍ରି କରୁଥିଲେ । ଏହା ଜାଣି ସେମାନଙ୍କୁ ଧରିବାକୁ ଜାଲ ବିଛାଇଥିଲା ପୁଲିସ୍। ଆଉ ଜାଲ୍ରେ ପଡ଼ି ଏବେ ପୁଲିସ୍ କବଜାରେ ଅଛନ୍ତି ଏହି ୫ କଳାବଜାରୀ। ପୁଲିସ ଏମାନଙ୍କ ନିକଟରୁ ୩୫ଟି ହିକ ଟିକେଟ ସହ ୧୦ ହଜାର ଟଙ୍କା ଜବତ କରିଛି। ୫ ଜଣଙ୍କ ମଧ୍ୟରେ ଛାତ୍ର ଓ ସ୍ଥାନୀୟ ଲୋକ ରହିଥିବା ଜଣାପଡିିଛି। ସାଧା ପୋଷାକରେ ପୁଲିସ ଗ୍ରାହକ ଭାବେ ଯାଇ ସେମାନଙ୍କୁ ଗିରଫ କରିବା ସହ କୋର୍ଟ ଚାଲାଣ କରିଛି।
ଆସନ୍ତା ୧୯, ୨୪ ଓ ୨୯ ତାରିଖରେ ହେବାକୁ ଥିବା ମ୍ୟାଚ ପାଇଁ ଏହି କଳବଜାରୀମାନେ ଟିକେଟ ବିକ୍ରି କରୁଥିଲେ। ଏଥିନିମନ୍ତେ ସେମାନେ ସୋଶାଲ ମିଡିଆ ପ୍ଲାଟଫର୍ମକୁ ବ୍ୟବହାର କରୁଥିଲେ। ମ୍ୟାଚ ଦେଖିବାକୁ ଆଗ୍ରହୀ ଲୋକେ କଲ୍ କଲେ ସେମାନେ ନିର୍ଦ୍ଦିଷ୍ଟ ଜାଗାକୁ ଡାକୁଥିଲେ। ଏହାପରେ ଅନ୍ ଦି ସ୍ପଟ୍ ଟଙ୍କା ନେଇ ଟିକେଟ ଦେଉଥିଲେ।