ବିଶ୍ୱର ଏମିତି ଦ୍ୱୀପ, ଯେଉଁଠି ମଣିଷ କମ ପଶୁ ଅଧିକ ରୁହନ୍ତି

0

ଆପଣ ହୁଏତ କେବେ ଶୁଣିନଥିବେ ଯେ ଗୋଟିଏ ଦ୍ୱୀପରେ ମଣିଷ ଅପେକ୍ଷା ଅଧିକ ବିଲେଇ ରୁହନ୍ତି । କିନ୍ତୁ ଆମ ପୃଥିବୀରେ ଏମିତି ଗୋଟିଏ ଦ୍ୱୀପ ରହିଛି ଯେଉଁଠି ମଣିଷ ଆପେକ୍ଷ ଅଧିକ ବିଲେଇ ବାସ କରନ୍ତି । ଏହିପରି ଗୋଟିଏ ଦ୍ୱୀପ ହେଉଛି ଓସିମା ଦ୍ୱୀପ। ଓସିମା ଦ୍ୱୀପ ବର୍ତ୍ତମାନ ବିଲେଇ ଦ୍ୱୀପ ଭାବରେ ଜଣାଶୁଣା । ଜାପାନର ଏହି ଦ୍ୱୀପରେ ପ୍ରାୟ ଶହେ ଲୋକ ବାସ କରନ୍ତି, କିନ୍ତୁ ଏହି ଦ୍ୱୀପରେ ବିଲେଇଙ୍କ ସଂଖ୍ୟା ମନୁଷ୍ୟର ଦଶଗୁଣ ଅର୍ଥାତ୍ ପ୍ରାୟ ୧୦୦୦ଅଟେ। ଏହି ଦ୍ୱୀପରେ ହଜାରରୁ ଅଧିକ ବିଲେଇ ବାସ କରନ୍ତି। ଆଓସିମା ହେଉଛି ଜାପାନର ସବୁଠାରୁ ପ୍ରସିଦ୍ଧ ବିଲେଇ ଦ୍ୱୀପ। ଏହାକୁ ଲୋକମାନେ “କ୍ୟାଟ୍ ଆଇଲ୍ୟାଣ୍ଡ ” ବୋଲି ଖୁସିରେ କହିଥାନ୍ତି। ଏଠାରେ ବାସ କରୁଥିବା ବିଲେଇ ଓ ମାନବ ଜନସଂଖ୍ୟାର ଅନୁପାତ୧୦:୧ ଅଟେ। ଏହି ଦ୍ୱୀପଟି ଦକ୍ଷିଣ ଜାପାନର ଏହାଇମ୍ ପ୍ରିଫେକ୍ଟରରେ ଅବସ୍ଥିତ। ଦ୍ଵୀପର ଲମ୍ବ ପ୍ରାୟ ୧.୬ କିଲୋମିଟର। ଜାହାଜରେ ମୂଷାଙ୍କ ମୁକାବିଲା ପାଇଁ ବିଲେଇମାନଙ୍କୁ ଏଠାକୁ ପ୍ରଥମେ ଅଣାଯାଇଥିଲା। ଏହା ପରେ ବିଲେଇମାନେ ଦ୍ୱୀପରେ ବାସ କରିବା ଆରମ୍ଭ କଲେ ଏବଂ ସେମାନଙ୍କର ଜନସଂଖ୍ୟା ଦ୍ରୁତ ଗତିରେ ବଢ଼ିବାକୁ ଲାଗିଲା।
ତେବେ ଏହି ଦ୍ୱୀପ ପର୍ଯ୍ୟଟନ ସ୍ଥଳ ନୁହେଁ। ଦ୍ୱୀପରେ କୌଣସି କାର, ହୋଟେଲ, ରେଷ୍ଟୁରାଣ୍ଟ କିମ୍ବା ଭେଣ୍ଡିଂ ମେସିନ୍ ମଧ୍ୟ ନାହିଁ। ସେଠାରେ ରହୁଥିବା ଅଧିକାଂଶ ବାସିନ୍ଦା ବୃଦ୍ଧ ଅଟନ୍ତି, ଯେଉଁମାନେ ସେଠାକୁ ଆସୁଥିବା ଲୋକଙ୍କୁ ବିଲେଇମାନଙ୍କଠାରୁ ଦୂରେଇ ରଖନ୍ତି ନାହିଁ କିନ୍ତୁ ସେଠାକୁ ଯାଉଥିବା ଲୋକଙ୍କୁ କୁହାଯାଏ ଯଦି ସେମାନେ ଦ୍ୱୀପକୁ ଯାଉଛନ୍ତି ତେବେ ସେଠାରେ ରହୁଥିବା ବୟସ୍କମାନଙ୍କୁ ବିବ୍ରତ କରିବେ ନାହିଁ କି ବିଲେଇମାନଙ୍କୁ କିଛି ଖାଇବାକୁ ଦିଅନ୍ତୁ ନାହିଁ। କାରଣ ପ୍ରତ୍ୟେକ ଦିନ ସେଠାରେ ରହୁଥିବା ଲୋକମାନେ ସେମାନଙ୍କୁ ଖାଇବାକୁ ଦିଅନ୍ତି।
ସେହିଭଳି ଜାପାନରେ ଆଉ ଏକ ବିଲେଇ ଦ୍ୱୀପ ରହିଛି, ଯାହାର ନାମ ତାସିରୋ-ଜିମା କିମ୍ବା ତାସିରୋଜିମା ଦ୍ୱୀପ। ଏହି ଦ୍ୱୀପରେ ଲୋକଙ୍କ ଜନସଂଖ୍ୟା ବହୁତ କମ୍ କିନ୍ତୁ ଦ୍ୱୀପରେ ୫୦୦ ରୁ ଅଧିକ ବିଲେଇ ଅଛନ୍ତି। ଦ୍ୱୀପରେ ରେଶମ ଉତ୍ପାଦନ ପାଇଁ ରେଶମ କୀଟ ପାଳନ କରାଯାଇଥାଏ। ଯାହା ପ୍ରାକୃତିକ ଭାବରେ ମୂଷା ଦ୍ୱାରା ଶିକାର ହୁଏ। ସେଥିପାଇଁ ବିଲେଇମାନେ ମୂଷାର ଜନସଂଖ୍ୟାକୁ ଏଠାରେ କମ ରଖିବାରେ ସାହାଯ୍ୟ କରନ୍ତି। ବର୍ଷ ବର୍ଷ ଧରି ଏଠାରେ ରହିଥିବା ମତ୍ସ୍ୟଜୀବୀ ଓ ସ୍ଥାନୀୟ ଲୋକମାନେ ବିଶ୍ୱାସ କରନ୍ତି ଯେ ବିଲେଇମାନଙ୍କୁ ଖାଇବାକୁ ଦେବା ଦ୍ଵାରା ଧନ ପ୍ରାପ୍ତି ସହ ଶୁଭଫଳ ମିଳିଥାଏ। ସେଠାକାର ଅଧିକାଂଶ ଲୋକ ବିଲେଇମାନଙ୍କର ବହୁତ ଭଲ ଯତ୍ନ ନିଅନ୍ତି ଏବଂ ବିଲେଇମାନେ ଦ୍ୱୀପ ପାଇଁ ଏକ ପ୍ରକାର ଭାଗ୍ୟ ହୋଇଯାଇଛନ୍ତି। ଏହି କାରଣରୁ ଦ୍ୱୀପରେ କୁକୁର ପୋଷିବା ବା ପ୍ରବେଶ ମନା ହୋଇଛି। ଏହି ଦ୍ୱୀପର ମଧ୍ୟଭାଗରେ ନେକୋ-ଜିଞ୍ଜା ନାମକ ଏକ ବିଲେଇ ମନ୍ଦିର ଅଛି, ଯାହା ଦୁଇଟି ଗ୍ରାମ ମଧ୍ୟରେ ଅବସ୍ଥିତ। ଏହି ମନ୍ଦିରଟି ପଥର ଖସିବା କାରଣରୁ ମୃତ୍ୟୁ ହୋଇଥିବା ବିଲେଇମାନଙ୍କ ପାଇଁ ଉତ୍ସର୍ଗୀକୃତ।

Leave a comment