ବାବାସାହେବ ଆମ୍ବେଦକରଙ୍କୁ ବାରମ୍ବାର ଅପମାନିତ କରିଛି କଂଗ୍ରେସ : ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର : କଂଗ୍ରେସ ନେତାମାନେ ସାମାଜିକ ତଥା ରାଜନୈତିକ ଦୃଷ୍ଟିରୁ ବାବା ସାହେବଙ୍କୁ ସର୍ବଦା ଅବହେଳା ଓ ପରିହାସ କରିଆସୁଛନ୍ତି । ସେମାନଙ୍କର ରାଜନୈତିକ ଏଜେଣ୍ଡାକୁ ଆହୁରି ଆଗକୁ ନେବାକୁ କଂଗ୍ରେସ ଏବଂ ଏହାର ‘ଟୁଲକିଟ୍ ଗ୍ୟାଙ୍ଗ’ ବିଜେପିର ବରିଷ୍ଠ ନେତାଙ୍କ ବିବୃତିକୁ ବିକୃତ କରି ସମାଜକୁ ବିଭାଜନ କରିବାକୁ ଚେଷ୍ଟା କରୁଛନ୍ତି । କଂଗ୍ରେସ ନେତା ତଥା ପଣ୍ଡିତ ନେହେରୁଙ୍କ ଦ୍ୱାରା ବାବାସାହେବ ଆମ୍ବେଦକରଙ୍କୁ ବାରମ୍ବାର ଅପମାନିତ କରାଯାଇଛି । ଏଥିପାଇଁ କଂଗ୍ରେସ ବିନା ସର୍ତରେ କ୍ଷମା ମାଗିବା ଉଚିତ୍ ।
ବାବାସାହେବ ଆମ୍ବେଦକର ପଣ୍ଡିତ ନେହେରୁଙ୍କ ବିରୋଧରେ ଅନେକ କଥା ଲେଖିଛନ୍ତି । ବାବାସାହେବ ତାଙ୍କ ଇସ୍ତଫା ପତ୍ରରେ ଲେଖିଥିଲେ ଯେ, ସେ ଶିଳ୍ପ ଓ ଅର୍ଥନୈତିକ କ୍ଷେତ୍ରରେ ଶିକ୍ଷା ଲାଭ କରିଛନ୍ତି । କିନ୍ତୁ ତାଙ୍କୁ ଏହି ସମ୍ବନ୍ଧୀୟ କୌଣସି ବିଭାଗ ତାଙ୍କୁ ଦିଆଯାଇନଥିଲା କି କୌଣସି ସଂସଦୀୟ କମିଟିରେ ମଧ୍ୟ ତାଙ୍କୁ ସାମିଲ କରାଯାଇ ନଥିଲା । ତାଙ୍କୁ ଆଇନ ମନ୍ତ୍ରଣାଳୟ ଦିଆଯାଇଥିଲା, କିନ୍ତୁ ଠିକ୍ ଭାବେ କାମକରିବାକୁ ଦିଆଯାଇ ନଥିଲା । ତାଙ୍କୁ ହିନ୍ଦୁ କୋଡ ବିଲ୍ କାର୍ଯ୍ୟକୁ ସମ୍ପୁର୍ଣ୍ଣ କରିବାକୁ ଦିଆଯାଇ ନଥିଲା ।
କେବଳ ମୁସଲମାନଙ୍କ ଉପରେ ଚିନ୍ତା କରାଯାଇଥିଲା । ଏସ୍ସି ଏବଂ ଏସ୍ଟିମାନଙ୍କୁ ଠିକ୍ ଭବେ ସଂରକ୍ଷଣ ଦିଆଯାଇ ନ ଥିଲା । ଏଠାରେ ପ୍ରଶ୍ନ ଉଠୁଛି ଯେ, ଦେଶରେ କ’ଣ କେବଳ ମୁସଲମାନଙ୍କୁ ସଂରକ୍ଷଣର ଆବଶ୍ୟକ ଅଛି ? ପଣ୍ଡିତ ନେହେରୁ ଡ. ବିସି ରାୟଙ୍କୁ ଲେଖିଥିବା ଚିଠିରେ ଉଲ୍ଲେଖ କରିଛନ୍ତି ଯେ, ଭୀମରାଓ ଆମ୍ବେଦକରଙ୍କ ଇସ୍ତଫା ଦଳ ଉପରେ କୌଣସି ପ୍ରଭାବ ପକାଇବା ନାହିଁ । ମାତ୍ର ଆଜି ସେହି କଂଗ୍ରେସ ପାର୍ଟି କେଉଁ ମୁହଁରେ ବାବାସାହେବ ଆମ୍ବେଦକରଙ୍କ ଅଧିକାର ଉପରେ କହୁଛି, ତାହା ବୁଝାପଡ଼ୁ ନାହିଁ ।
୧୯୫୨ ଲୋକସଭା ନିର୍ବାଚନ ଏବଂ ୧୯୫୪ ନିର୍ବାଚନରେ ବାବା ସାହେବ ଆମ୍ବେଦକରଙ୍କୁ ପରାସ୍ତ କରିବାକୁ କଂଗ୍ରେସ ସମସ୍ତ ପ୍ରକାରର ଅପପ୍ରୟାସ କରିଥିଲା । ଯେତେବେଳେ ବି କୌଣସି ମହାନ ନେତାଙ୍କ ଦେହାନ୍ତ ହୁଏ, ତାଙ୍କର ଉତ୍ତରାଧିକାରୀମାନେ ସମ୍ମାନିତ ହୁଅନ୍ତି ଏବଂ ତାଙ୍କର ସ୍ମାରକୀ ନିର୍ମାଣ କରଯାଏ । କିନ୍ତୁ ବାବା ସାହେବଙ୍କ ପାଇଁ କୌଣସି ସ୍ମାରକୀ ନିର୍ମାଣ କରିବାକୁ କଂଗ୍ରେସ ଦଳ ଅନୁମତି ଦେଇ ନଥିଲା । ବାବାସାହେବଙ୍କ ଜନ୍ମସ୍ଥାନ ମଧ୍ୟପ୍ରଦେଶରେ ସ୍ମାରକୀକୁ ତତ୍କାଳୀନ ପ୍ରଧାନମନ୍ତ୍ରୀ ସ୍ୱଗତଃ ଅଟଳ ବିହାରୀ ବାଜପେୟୀ ଉଦ୍ଘାଟନ କରିଥିଲେ ।
ଦିଲ୍ଲୀର ‘ଆମ୍ବେଦକର କେନ୍ଦ୍ର’କୁ ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସରକାର କ୍ଷମତାକୁ ଆସିବାପରେ ନିର୍ମାଣ କରାଯାଇଥିଲା । ଯଶସ୍ୱୀ ପ୍ରଧାନମନ୍ତ୍ରୀ ମୋଦୀଜୀଙ୍କ ସରକାର ଲଣ୍ଡନରେ ବାବା ସାହେବଙ୍କ ସ୍ମୃତି ସ୍ମାରକୀ ନିର୍ମାଣ କରିଥିଲେ । ଶ୍ରୀ ମୋଦି ଦିଲ୍ଲୀସ୍ଥିତ ତାଙ୍କ ବାସଭବନରେ ବାବା ସାହେବଙ୍କ ଏକ ସ୍ମାରକ ପ୍ରତିଷ୍ଠା କରିଥିଲେ । ନାଗପୁରର ଦୀକ୍ଷୀ ଭୁମି ଏବଂ ମୁମ୍ବାଇର ଚିତ୍ୟ ଭୁମିରେ ମଧ୍ୟ ସ୍ମାରକୀ ନିର୍ମାଣ କରାଯାଇଥିଲା ।
ପଣ୍ଡିତ ଜବାହରଲାଲ ନେହେରୁ ଏଡ୍ୱିନ ମାଉଂଟବ୍ୟାଟେନଙ୍କୁ ଏକ ଚିଠି ଲେଖି ବାବାସାହେବ ଆମ୍ବେଦକରଙ୍କୁ କ୍ୟାବିନେଟରେ ନ ରଖିଥିବାରୁ ଖୁସିବ୍ୟକ୍ତ କରିଥିଲେ । ଏଭଳି ଚିନ୍ତାଧାରା ଏବଂ ଚରିତ୍ର ଥିବା କଂଗ୍ରେସ ଦଳ ଆଜି ବାବା ସାହେବଙ୍କୁ ସମ୍ମାନ ଦେବା କଥା କହୁଛି, ତାହା ଅତ୍ୟନ୍ତ ଲଜ୍ଜାଜନକ । କଂଗ୍ରେସ ଦଳ ଏହି କପଟକୁ ବନ୍ଦ କରିବା ଉଚିତ୍ ।
ପଣ୍ଡିତ ନେହେରୁ ଏବଂ କଂଗ୍ରେସ ନେତାମାନେ ବାବା ସାହେବ ଆମ୍ବେଦକରଙ୍କୁ ଅସଦାଚରଣ ଓ ଅପମାନିତ କରିଥିଲେ, ଏହାର ପ୍ରମାଣ ମଧ୍ୟ ରହିଛି । ଏନେଇ କଂଗ୍ରେସ ବିନା ସର୍ତରେ କ୍ଷମା ପ୍ରାର୍ଥନା କରିବା ଉଚିତ୍ । କଂଗ୍ରେସ ପାର୍ଟି ମାନ୍ୟବର ଗୃହମନ୍ତ୍ରୀ ଅମିତ ଶାହାଙ୍କ ଭାଷଣର ଏକ ଛୋଟ ବିବୃତିକୁ ବିକୃତ କରି ରାଜନୀତି କରିବାକୁ ଅପଚେଷ୍ଟା କରୁଛି ।
ଦେଶର ଲୋକମାନେ ବହୁତ ପରିପକ୍ୱ ଏବଂ ସବୁକିଛି ବୁଝିପାରୁଛନ୍ତି । କଂଗ୍ରେସ ପାର୍ଟି ବାବା ସାହେବ ଆମ୍ବେଦକରଙ୍କୁ କୌଣସି ଭାରତରତ୍ନ, ପଦ୍ମଭୂଷଣ କିମ୍ବା ପଦ୍ମଶ୍ରୀଙ୍କୁ ଦେଇ ନ ଥିଲା, କିନ୍ତୁ ନିର୍ବାଚନରେ ବାବାସାହେବ ଆମ୍ବେଦକରଙ୍କୁ ପରାସ୍ତ କରିଥିବା ନାରାୟଣ ସାଡୋବା କାଜ୍ରୋଲକରଙ୍କୁ ୧୯୭୦ରେ ପଦ୍ମଭୂଷଣ ଦେଇ ସମ୍ମାନିତ କରିଥିଲା । ପଣ୍ଡିତ ନେହେରୁ ମଧ୍ୟ କାଜ୍ରୋଲକରଙ୍କ ସପକ୍ଷରେ ପ୍ରଚାର କରିଥିଲେ । ଏହା ହେଉଛି କଂଗ୍ରେସ ଦଳର ଅସଲି ଚେହେରା ।
ବାବା ସାହେବ ଦେଶର ବିଭାଜନ ସପକ୍ଷରେ ନ ଥିଲେ କିମ୍ବା ଧାରା ୩୭୦ ଲାଗୁ କରିବା ସପକ୍ଷରେ ନ ଥିଲେ । ପୂର୍ବ ବଙ୍ଗରେ ହିନ୍ଦୁମାନଙ୍କ ପ୍ରତି ହୋଇଥିବା ଅତ୍ୟାଚାର ଉପରେ ବାବାସାହେବ ଆମ୍ବେଦକର ମଧ୍ୟ ମନ୍ତବ୍ୟ ଦେଇଥିଲେ । ଦେଶ ନିର୍ମାଣରେ ଯେଉଁମାନଙ୍କ ଅବଦାନ ରହିଛି ସେମାନଙ୍କୁ ସମ୍ମାନ ଦେବା ଉପରେ ବିଜେପି ବିଶ୍ୱାସ କରେ । ଯେବେକି କଂଗ୍ରେସ ଦଳ କେବଳ ଗୋଟିଏ ପରିବାର ଯୋଗଦାନ ଦର୍ଶାଇ ଆତ୍ମଗର୍ବ କରିଥାଏ ।
କଂଗ୍ରେସ ଦଳ ସାରା ଦେଶରେ ବିଜେପି ବିରୋଧରେ ସାମ୍ବାଦିକ ସମ୍ମିଳନୀ ଓ ଧାରଣା କରୁଛି । ବାସ୍ତବରେ ରାହୁଲ ଗାନ୍ଧୀ ଓ ତାଙ୍କ ଦଳ ବାବାସାହେବଙ୍କ ପ୍ରତି କରାଯାଇଥିବା ଅପମାନର କଳଙ୍କ ବହନ କରୁଛନ୍ତି । ରାହୁଲ ଗାନ୍ଧୀ ସେସବୁ ଡ୍ରାମା ବନ୍ଦ କରିବା ଉଚିତ୍ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।