ବାତ୍ୟା ଭୟ: ଲୋକଙ୍କୁ ଲୁଟୁଛନ୍ତି ବେପାରୀ!
ଭୁବନେଶ୍ୱର : ସମ୍ଭାବ୍ୟ ବାତ୍ୟାକୁ ନେଇ ପାଣିପାଗ ବିଭାଗର ସର୍ତକ ସୂଚନା ପରେ ଏବେ ଲୋକଙ୍କ ମନରେ ଭୟ ସଂଚାର ହୋଇଛି । ଖାଦ୍ୟ ସାମଗ୍ରୀ ମହଜୁଦ ରଖିବାକୁ ଲୋକେ ବ୍ୟାକୁଳ ହେଉଥିବା ବେଳେ କିଛି ଅସାଧୁ ବେପାରୀ ଏହାର ଫାଇଦା ନେବା ଆରମ୍ଭ କରିଛନ୍ତି । ହଠାତ ଅତ୍ୟାବଶ୍ୟକୀୟ ଜିନିଷ ଆଳୁ, ପିଆଜ ଓ ପନିପରିବା ଦରକୁ ମନଇଚ୍ଛା ବଢାଇ ଲୋକଙ୍କୁ ଲୁଟିବା ଆରମ୍ଭ କରିଛନ୍ତି ।
ରବିବାର ଭୁବନେଶ୍ୱରରେ ଆଳୁ କିଲୋ ୩୦/୩୫ ଟଙ୍କା ଥିଲା । ହେଲେ ଆଜି ସକାଳୁ ଏହା ଧିରେ ଧିରେ ବୃଦ୍ଧି ପାଇ ସନ୍ଧ୍ୟା ବେଳକୁ କିଲୋ ପିଛା ୫୦ ପାର କରିଛି । ସେହିପରି ୪୫ରେ ମିଳୁଥିବା ପିଆଜ କିଲୋ ୭୦ ଟପିିଲାଣି । ଏସବୁ ସହିତ କଞ୍ଚା ପରିବା ଦର ମଧ୍ୟ ପାଖାପାଖି ୨୦ ଟଙ୍କା ବଢିଛି । ବଜାରରେ ୭୦/୮୦ ତଳକୁ ଆଉ ପରିବା ମିଳୁନାହିଁ । ଏଥିରୁ ସ୍ପଷ୍ଟ ଜଣାପଡୁଛି, ବାତ୍ୟା ଯେଭଳି କିଛି ଅସାଧୁ ବେପାରୀଙ୍କୁ ଗ୍ରାହକଙ୍କୁ ଲୁଟିବାକୁଏକ ସୁଯୋଗ ଦେଉଛି ।
ଅନ୍ୟପକ୍ଷରେ ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି କଳାବଜାରୀଙ୍କୁ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ତାଗିଦ କରିଛନ୍ତି । ସେ କହିଛନ୍ତି, ଅସାଧୁ ବ୍ୟବସାୟୀ କଳାବଜାରୀ କଲେ କଡା କାର୍ଯ୍ୟାନୁଷ୍ଠାନ ହେବ । ଅତ୍ୟାବଶ୍ୟକ ଖାଦ୍ୟ ସାମଗ୍ରୀର ଯେପରି କଳାବଜାରୀ ନହେବ ସେ ନେଇ କଡା ନଜର ରଖିବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ହେଲେ କଳାବଜାରୀମାନେ ଏହାକୁ ତିଳେ ମାତ୍ର ଖାତିର ନକରି ଲୁଟି ଚାଲିଛନ୍ତି ।
ପୂର୍ବରୁ ଯେତେଥର ବାତ୍ୟା ଆସିଛି, ଲୋକେ ଆତଙ୍କିତ ହୋଇ ଆବଶ୍ୟକତା ଠାରୁ ଅଧିକ ପରିମାଣର ସାମଗ୍ରୀ କିଣି ଘରେ ମହଜୁଦ ରଖୁଛନ୍ତି । ଆଉ ଅସାଧୁ ବ୍ୟବସାୟୀ ଏହାର ଫାଇଦା ଉଠାଇ ବଢାଇ ଦେଇଥାନ୍ତି । ବଜାରରେ କୃତ୍ରିମ ଅଭାବ ପରିସ୍ଥିତି ସୃଷ୍ଟି ହେଉଛି । ତେଣୁ ଆତଙ୍କିତ ହୋଇ ଅଯଥାରେ ଏସବୁ କିଣାକିଣି ନକରି ବରଂ ଶୁଖିଲା ପଦାର୍ଥ ଯେପରିକି ଚୂଡା, ବିସ୍କୁଟ ଭଳି ଜିନିଷ କିଣିବାକୁ ପରାମର୍ଶ ଦିଆଯାଇଛି । ତାଠୁ ଗୁରୁତ୍ୱପୂର୍ଣ୍ଣ ଅଧିକ ମାତ୍ରାରେ ପିଇବା ପାଣି, ମହମବତୀ, ଟର୍ଚ୍ଚ ଲାଇଟ୍, ଜରୁରୀ ଔଷଧ ଏସବୁକୁ ପ୍ରସ୍ତୁତ କରି ରଖିବା ଅବଶ୍ୟକ ବୋଲି ସରକରଙ୍କ ପକ୍ଷରୁ କୁହାଯାଇଛି ।