ଫେବ୍ରୁଆରୀ ୧ ରୁ ଶିମିଳିପାଳ ପର୍ଯ୍ୟଟକଙ୍କ ପାଇଁ ନୂଆ ନିୟମ
ଶିମିଳିପାଳ ବୁଲିବାକୁ ଚାହୁଁଥିବା ପର୍ଯ୍ୟଟକ ଏଣିକି ସିଧାସଳଖ ପିଠାବଟା ଗେଟ୍ ବା କୋଳିଆଣି ଗେଟରେ ଅଫ ଲାଇନ୍ରେ କାଗଜପତ୍ର କରି ଭିତରକୁ ପ୍ରବେଶ କରିପାରିବେନି । ଟୁରିଷ୍ଟ ପରମିଟ କ୍ଷେତ୍ରରେ ସ୍ୱଚ୍ଛତା ଓ ପାରଦର୍ଶିତା ଆଣିବାକୁ ଏଣିକି ଅଫ୍ଲାଇନ୍ ପରିବର୍ତ୍ତେ ଯାନବାହାନ ଓ ପର୍ଯ୍ୟଟକଙ୍କୁ ଅନଲାଇନ୍ ପରମିଟ୍ ପାସ୍ ଆବେଦନ କରିବାକୁ ପଡିବ । ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ପତ୍ର ସଂଖ୍ୟା ୨୬୭ ମୁତାବକ ଆସନ୍ତା ଫେବ୍ରୁଆରୀ ୧ ତାରିଖରୁ ଶିମିଳିପାଳ ଅଭୟାରଣ୍ୟ ପରିଦର୍ଶନ ନେଇ ନୂଆ ନିୟମ ଲାଗୁ ହେବ । କେବଳ ଅନଲାଇନରେ ଆବେଦନ କରିଥିବା ପର୍ଯ୍ୟଟକଙ୍କୁ ଅଭୟାରଣ୍ୟ ବୁଲିବା ପାଇଁ ଅନୁମତି ଦିଆଯିବ । ଅନଲାଇନ ଆବେଦନ ବିନା କୌଣସି ପର୍ଯ୍ୟଟକଙ୍କୁ ଶିମିଳିପାଳ ଭିତରକୁ ପ୍ରବେଶ ପାଇଁ ଅନୁମତି ଦିଆଯିବ ନାହିଁ ବୋଲି ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର ଭାରପ୍ରାପ୍ତ କ୍ଷେତ୍ର ନିର୍ଦ୍ଦେଶକ ଡଃ ପ୍ରକାଶ ଚନ୍ଦ୍ର ଗୋଗିନେନୀ ଏହି ବିଜ୍ଞପ୍ତି ଜରିଆରେ ସୂଚନା ଦେଇଛନ୍ତି ।
ସୂଚନାଥାଉ କି ପୂର୍ବରୁ ଉଭୟ ବାରିପଦା ପଟୁ ପିଠାବଟା ତନଖି ଫାଟକ ଏବଂ ଯଶିପୁର ପଟୁ କାଳିକାପ୍ରସାଦ ତନଖି ଫାଟକ ଦେଇ ପର୍ଯ୍ୟଟକ ମାନେ ଅପ୍ ଲାଇନ ଆବେଦନ କରି ଧାର୍ଯ୍ୟ ଟଙ୍କା ପ୍ରଦାନ କରି ଶିମିଳିପାଳ ଭିତରକୁ ଯିବା ପାଇଁ ଅନମତି ପାଇ ପାରୁ ଥିଲେ । କିନ୍ତୁ ପର୍ଯ୍ୟଟକଙ୍କ ସୁବିଧା ତଥା ଶିମିଳିପାଳ ଜୈବ ମଣ୍ଡଳ ସୁରକ୍ଷାର ଅଧିକ ସୁଧାର ଆଣିବା ପାଇଁ ଏହି ବିଶେଷ ନିୟମକୁ ଲାଗୁ କରାଯାଇଛି । ଏଥିପାଇଁ ପର୍ଯ୍ୟଟକ ମାନେ www.shimilipal.org or www.Ecotour Odisha.comରେ ଆବେଦନ କରିବାକୁ ସୂଚନା ଦିଆଯାଇଛି । ଅନଲାଇନରେ ଆବେଦନ କରିବା ପରେ ପର୍ଯ୍ୟଟକଙ୍କୁ ଏକ ସ୍ୱୀକୃତିପତ୍ରରେ ନିର୍ଦ୍ଦିଷ୍ଟ ତାରିଖ ଦିଆଯିବ ଯେଉଁ ତାରିଖରେ କି ପର୍ଯ୍ୟଟକ ମାନେ ଶିମିଳିପାଳ ଅଭୟାରଣ୍ୟ ଭିତରକୁ ପର୍ଯ୍ୟଟନ ପାଇଁ ଯାଇ ପାରିବେ ।
ଉଲ୍ଲେଖ ଯୋଗ୍ୟ ଯେ , ଗତ ୨୦୨୪ ନଭେମ୍ବର ୭ତାରିଖରେ ପ୍ରକାଶିତ ୨୪୧ବିଜ୍ଞପ୍ତି ଅନୁଯାୟୀ ପୂର୍ବପରି ଦୈନିକ ପିଠାବଟା ତନଖି ଫାଟକ ଦେଇ ପ୍ରଥମ ୨୫ ଟି ଗାଡି ଏବଂ କାଳିକାପ୍ରସାଦ ତନଖି ଫାଟକ ଦେଇ ପ୍ରଥମ ୩୫ ଟି ଗାଡି ଅଭୟାରଣ୍ୟ ଭିତରକୁ ଯିବା ନିୟମ କାୟମ ରହିବ ବୋଲି ସୂଚନା ଦିଆ ଯାଇଛି।