ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବଙ୍କ ନକଲି ଝିଅ-ଜ୍ୱାଇଁ ଗିରଫ

0

ଭୁବନେଶ୍ୱର : ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ପି.କେ ମିଶ୍ର ଝିଅ-ଜ୍ୱାଇଁ କହି ଠକେଇ କରୁଥିବା ଦୁଇ ଅଭିଯୁକ୍ତଙ୍କୁ କମିଶନରେଟ ପୁଲିସ ଗିରଫ କରିଛି । ଗିରଫ ଅଭିଯୁକ୍ତଦ୍ୱୟ ହେଲେ ଅନୀଲ ମହାନ୍ତି ଓ ହଂସିଦା ଅଭିଲିପ୍ପା । ପୁଲିସ ଏମାନଙ୍କ ନାଁରେ ଏକ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଛି ।

ସୂଚନା ଅନୁସାରେ, ଅନୀଲ ମହାନ୍ତି ହେଉଛନ୍ତି ଭୁବନେଶ୍ୱର ବାସିନ୍ଦା । ସିଏ ପେସାରେ ଜଣେ ବ୍ୟବସାୟୀ । ତାଙ୍କ ନାଁରେ ଦୁଇଟି କଂପାନୀ ରେଜିଷ୍ଟ୍ରେସନ୍ ହୋଇଛି । ପଟିଆରେ ତାଙ୍କର ଅଫିସ୍ ରହିଛି । କୁହାଯାଉଛି, ତାଙ୍କର ବନ୍ଧବୀ ହେଉଛନ୍ତି କଳାହାଣ୍ଡି ଜିଲ୍ଲାର ହଂସିକା ଅଭିଲିପ୍ସା । ସେ ଏବେ ଭୁବନେଶ୍ୱରରେ ଦୀର୍ଘ ଦିନ ଧରି ରହୁଛନ୍ତି । ଉଭୟ ନିଜକୁ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ପି.କେ ମିଶ୍ରଙ୍କ ଝିଅ ଓ ଜ୍ୱାଇଁ ବୋଲି ପରିଚୟ ଦେଉଥିଲେ । ଖାଲି ସେତିକି ନୁହେଁ, ଓଡ଼ିଶାର ମୁଖ୍ୟଶାସନ ସଚିବ ମନୋଜ ଆହୁଜା, ପୂବର୍ତନ ସିଏଜି ଗିରୀଷ ମୁର୍ମୁଙ୍କ ପରି ବଡ଼ବଡ଼ିଆଙ୍କ ସହିତ ନିଜ ଫଟୋ ଏଡିଟ୍ କରି ଦେଖାଇ ଠକୁଥିଲେ ।

ଏମାନଙ୍କ ଟାଗେର୍ଟରେ ଥିଲେ ବିଲ୍‌ଡର, ଖଣି ବ୍ୟବସାୟୀ ଓ ଧନୀ ଶ୍ରେଣୀର ଲୋକ । କାହାକୁ ଟେଣ୍ଡର କରାଇ ଦେବାକୁ କହି ଡାକୁଥିଲେ ତ ଆଉ କାହାକୁ କର୍ପୋରେଟ୍ ସେକ୍ଟରରେ ଅଟକି ରହିଥିବା କାମ କରାଇଦେବା ବାହାନାରେ ଅନୀଲ ଓ ଅଭିଲିପ୍ସା ନିଜ ଅଫିସ୍‌କୁ ଡାକୁଥିଲେ । ତା’ପରେ ସେଠାରେ ମୂଲଚାଲ୍ ହେଉଥିଲେ । ଡିଲ୍ ଫାଇନାଲ୍ ହେବା ପରେ ଠକୁଥିବା ଅଭିଯୋଗ ହୋଇଛି । ଦୀର୍ଘ ଦିନ ଧରି ବଡ଼ବଡ଼ିଆଙ୍କୁ ଚୂନ ଲଗାଉଥିଲେ ଅନୀଲ୍ ଓ ଅଭିଲିପ୍ସା ।

ଗତ ସପ୍ତାହର ଏନେଇ ଇନ୍‌ଫୋସିଟି ଥାନାରେ ଏକାଧିକ ଅଭିଯୋଗ ହୋଇଥିଲା । ଅଭିଯୋଗକୁ ଭିତ୍ତିକରି ଘଟଣାର ତଦନ୍ତ ଆରମ୍ଭ କରିଥିଲା । ତଦନ୍ତ ବେଳେ ଅଭିଯୋଗ ଉପରୁ ପର୍ଦ୍ଦା ହଟିଥିଲା । ଅଭିଲିପ୍ସା ଓ ଅନୀଲ୍ ପ୍ରକୃତରେ ପିକେ ମିଶ୍ରଙ୍କ ଝିଅ ଓ ଜ୍ୱାଇଁ ନୁହଁନ୍ତି ବୋଲି ଜଣାପଡିଥିଲା । ଏପରିକି ଉଭୟ ସ୍ୱାମୀ-ସ୍ତ୍ରୀ ନୁହେଁ ବୋଲି ସ୍ପଷ୍ଟ ହୋଇଥିଲା । ଏହାପରେ ଭୁବନେଶ୍ୱର କମିସନରେଟ୍ ପୁଲିସ୍ ଅନୀଲ ଓ ଅଭିଲିପ୍ସାଙ୍କୁ ଗିରଫ କରି ର୍କୋଟ ଚାଲାଣ କରିଛି । ତେବେ ସେମାନେ କେତେ ଟଙ୍କା ଠକିଛନ୍ତି, ତାହା ଜଣାପଡ଼ିନାହିଁ । ଏବେ ତାହା ଉପରେ କମିସନରେଟ୍ ପୁଲିସ୍ ତଦନ୍ତ ଚଳାଇଛି ।

Leave a comment