ପ୍ରତି ପଞ୍ଚାୟତର ଗୋଟିଏ ପ୍ରାଥମିକ ସ୍କୁ୍ଲ ହେବ ଆଦର୍ଶ ବିଦ୍ୟାଳୟ
ଭୁବନେଶ୍ୱର : ରାଜ୍ୟର ପ୍ରତି ପଞ୍ଚାୟତରେ ଗୋଟିଏ ଲେଖାଏଁ ଆଦର୍ଶ ବିଦ୍ୟାଳୟ ଖୋଲିବ। ଏହାକୁ ପଣ୍ଡିତ ଗୋଦାବରୀଶ ମିଶ୍ରଙ୍କ ନାକରେ ନାମିତ କରାଯିବ। ଏହି ସ୍କୁଲ୍ ଜିଲ୍ଲା ସ୍ତରର ସ୍ମାର୍ଟ ସ୍କୁଲ୍ ଗୁଡ଼ିକ ଲାଗି ଫିଡର ସ୍କୁଲ୍ ଭାବେ କାର୍ଯ୍ୟ କରିବେ। ଚଳିତ ବର୍ଷ ଏହିକ୍ରମରେ ୧୧୪ଟି ଫିଡର ସ୍କୁଲ୍ ବା ପଣ୍ଡିତ ଗୋଦାବରୀଶ ମିଶ୍ର ଆଦର୍ଶ ବିଦ୍ୟାଳୟ ଖୋଲିବା ଲାଗି ବଜେଟ୍ଥ ବ୍ୟବସ୍ଥା କରାଯିବ ବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି। ଆଜି ରାଜ୍ୟ କ୍ୟାବିନେଟ ସ୍କୁଲ୍ ଓ ଗଣଶିକ୍ଷା ବିଭାଗର ଏହି ପ୍ରସ୍ତାବକୁ ମଞ୍ଜୁର କରିଥିବା ସେ ସୂଚନା ଦେଇଛନ୍ତି।
ନବୀନ ସରକାରଙ୍କ ସମୟରେ ହୋଇଥିବା ସ୍କୁଲ୍ ରୂପାନ୍ତରଣ କାର୍ଯ୍ୟକ୍ରମକୁ ରାଜ୍ୟବାସୀଙ୍କ ପାଇଁ ଏକ ଧୋକା ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝି। ରୂପାନ୍ତରଣ କରିବା ନାଁରେ ୫-ଟି ସ୍କୁଲ୍ କରାଯିବା ଦ୍ୱାରା ଓଡ଼ିଶାର ଲୋକଙ୍କୁ ଧୋକା। ବିନା ଯୋଜନା, ଡିପିଆର୍ ନଥାଇ ଏ କାର୍ଯ୍ୟ କରାଯାଇଛି। ପୁରୁଣା କାନ୍ଥରେ ରଙ୍ଗ ଦେଇ ଏହି ସ୍କୁଲ୍ ହୋଇଛି। କମ୍ପ୍ୟୁଟର, ସ୍ମାର୍ଟ ବୋର୍ଡ ରଖାଯାଇଛି କିନ୍ତୁ ପିଲା କେଉଁଠୁ ଆସିବେ ତାହା ସ୍ଥିର କରାଯାଇ ନାହିଁ। ଦୂର ଦୃଷ୍ଟିର ଅଭାବ ଏଥିରେ ରହିଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି।
‘କେଉଁ ବର୍ଗର ପିଲା ଆସିବେ ତାହାକୁ ଧ୍ୟାନ ଦିଆଯିବା କଥା। ଅର୍ଥାତ୍ ଗୋଟିଏ ସ୍ମାର୍ଟ ସ୍କୁଲ୍ର ଫିଡର ସ୍କୁଲ୍ ରହିବା ଆବଶ୍ୟକ। କିନ୍ତୁ ମୁଁ ଦେଖିଛି ଭଙ୍ଗା କାନ୍ଥରେ ଚୂନ ଦେଇ ସ୍ମାର୍ଟ ସ୍କୁଲ୍ ଘୋଷଣା କରାଯାଇଛି। ପିଲାମାନେ ହରଣ ଗୁଣନ ନଜାଣି ସ୍ମାର୍ଟ ସ୍କୁଲ୍କୁ ଯାଇ ପାଠ ପଢ଼ିବେ ତାହା ଚିନ୍ତାଜନକ ଥିଲା। ବିରୋଧୀ ଦଳରେ ଥିବାବେଳେ ସେତେବଳେ ମୁଁ ଏ ବିଷୟରେ ପଦକ୍ଷେପ ପାଇଁ ଦାବି କରିଥିଲି। ଏବେ ସରକାରକୁ ଆସିବା ପରେ ମୁଁ ସ୍ମାର୍ଟ ସ୍କୁଲ୍ର ଫିଡର ବିଦ୍ୟାଳୟ ଗଠନ ପାଇଁ ନିଷ୍ପତ୍ତି ନେଇଛନ୍ତି। ପ୍ରଥମ ନିଷ୍ପତ୍ତି ସ୍ୱରୂପ ପ୍ରତି ପଞ୍ଚାୟତର ଗୋଟିଏ ମଡେଲ୍ ସ୍କୁଲ ରହିବ’ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ଗଣମାଧ୍ୟମକୁ ସୂଚନା ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ‘ପଣ୍ଡିତ ଗୋଦାବରୀଶ ମିଶ୍ରଙ୍କ ନାଁରେ ଏହି ବିଦ୍ୟାଳୟସବୁ ଖୋଲାଯିବ। ଏହା ପ୍ରତି ପଞ୍ଚାୟତରେ ଆଦର୍ଶ ବିଦ୍ୟାଳୟ ହେବ। ଏଥିପାଇଁ ଜମି ଅଧିଗ୍ରହଣ ଓ ଶିକ୍ଷକ ନିଯୁକ୍ତି ହେବ। ଜାତୀୟ ଶିକ୍ଷାନୀତି ଆଧାରରେ ଏଠାରେ ପାଠ୍ୟକ୍ରମ ଗ୍ରହଣ କରାଯିବ। ୬୭୯୪ ଗ୍ରାମ ପଞ୍ଚାୟତରେ ଏହିବିଦ୍ୟାଳୟ ରହିବ। ଏହା ହେବ ଫିଡର ସ୍କୁଲ୍। ଏଠାରୁ ହାଇସ୍କୁଲ୍ ଯିବେ। ଏଣୁ ୪ରୁ ୫ କୋଟି ଯାଏ ଗୋଟିଏ ବିଦ୍ୟାଳୟରେ ଖର୍ଚ୍ଚ କରାଯିବ। ଏଥିଲାଗି ବଜେଟ୍ ବ୍ୟବସ୍ଥା କରାଯିବ ବୋଲି ସେ ସୂଚନା ଦେଇଛନ୍ତି।
୪ ବର୍ଷରେ ଏହି ବିଦ୍ୟାଳୟ ଶେଷ ହେବ। ପ୍ରଥମେ ୧୧୪ଟି ପ୍ରାଥମିକ ବିଦ୍ୟାଳୟରେ ଏହି କାର୍ଯ୍ୟକ୍ରମ ଆରମ୍ଭ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଏହି କାର୍ଯ୍ୟରେ ୧୨ ହଜାର କୋଟି ଟଙ୍କା ଖର୍ଚ୍ଚ ହେବ। ଏହା ସହିତ ଆମର ସମଗ୍ର ଶିକ୍ଷା ଯୋଜନାର ଅର୍ଥ ମଧ୍ୟ ପ୍ରଦାନ କରାଯିବ। ଏହାଦ୍ୱାରା ମେଧାବୀ ଛାତ୍ରମାନେ ଉପକୃତ ହେବେ।