ପାଣି ଉପରେ ଭାସୁଛି ୧୩୦୦ ବର୍ଷ ପୁରୁଣା ଗାଁ

0

ପାଣିରେ ଭାସୁଥିବା ଡଙ୍ଗାରେ ବସିବାକୁ କିଏ ବା ପସନ୍ଦ କରେ ନାହିଁ? ସମସ୍ତେ ପାଣିରେ ଭାସୁଥିବା ସୁନ୍ଦର ଡଙ୍ଗାରେ ବୁଲିବାକୁ ଚାହାଁନ୍ତି । ଦୁଇ-ଚାରି ଘଣ୍ଟା ପାଇଁ ଯେକେହି ବି ପାଣିରେ ବିତାଇ ପାରିବେ। କିନ୍ତୁ ଯଦି କାହାକୁ ସବୁଦିନ ପାଇଁ ପାଣିରେ ରହିବାକୁ କୁହାଯାଏ? ତେବେ ତାଙ୍କ ଅବସ୍ଥା କଣ ହେବ ଭାବିପାରୁଛନ୍ତି ତ ? ହେଲେ ଚାଇନାରେ ଏମିତି ଏକ ଗାଁ ରହିଛି ଯାହା ସମୁଦ୍ର ମଧ୍ୟ ଭାଗରେ ଅବସ୍ଥିତ, ଯାହା ଭାସମାନ ଡଙ୍ଗାରେ ମଧ୍ୟ ଅଛି । ଚାଇନାର ଫୁଜିଆନ୍ ପ୍ରଦେଶର ନିଙ୍ଗଡେରେ ଏପରି ଏକ ସ୍ଥାନ ଅଛି ଯେଉଁଠାରେ ସମସ୍ତ ଲୋକ ପାଣିରେ ରୁହନ୍ତି। ସମଗ୍ର ବିଶ୍ୱର ଲୋକମାନେ ଏହି ସ୍ଥାନକୁ “ସମୁଦ୍ରର ଜିପ୍ସୀ” ଭାବରେ ଜାଣନ୍ତି। ଏହି ସ୍ଥାନରେ ୨୦୦୦ ରୁ ଅଧିକ ମତ୍ସ୍ୟଜୀବୀ ବାସ କରନ୍ତି। ଏହି ଲୋକମାନେ ଦୀର୍ଘ ସମୟ ଧରି ଏଠାରେ ଗାଁ ତିଆରି କରି ରହି ଆସୁଛନ୍ତି। ଏଠାକାର ଲୋକମାନେ ଟାଙ୍କା ପ୍ରଜାତିର ଅଟନ୍ତି। ଏହି ଗାଁ ଗତ ୧୩୦୦ ବର୍ଷ ଧରି ପାଣିରେ ରହିଆସିଛି। ଗାଁଟିର ସମସ୍ତ ଘର ଡଙ୍ଗା ଉପରେ ନିର୍ମିତ। ସମୁଦ୍ରର ଜିପ୍ସି ଫୁଜିଆନର ସବୁଠାରୁ ଲମ୍ବା ବେଳାଭୂମି ଅଟେ। ସମୁଦ୍ର ପାଣି ଉପରେ ଭାସୁଥିବା ଏହି ଗାଁର ସମସ୍ତ ଘରଗୁଡ଼ିକ କାଠରେ ନିର୍ମିତ। ଘର ତଳେ ବହୁତ ଶକ୍ତିଶାଳୀ ପ୍ଲାଟଫର୍ମ ଲଗାଯାଇଛି। ଏହି କାରଣରୁ, ଏଠାରେ ଥିବା ଘରଗୁଡ଼ିକ ଦୀର୍ଘ ସମୟ ପାଇଁ ସ୍ଥାୟୀ ହୋଇ ରହିଥାଏ।
ଗାଁର ଅନେକ ସ୍ଥାନରେ କାଠ ସେତୁମାନ ମଧ୍ୟ ନିର୍ମାଣ କରାଯାଇଛି। ଯାହା ଦ୍ଵାରା ସହଜରେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯାଇ ହେବ। ଟାଙ୍କା ପ୍ରଜାତିର ମତ୍ସ୍ୟଜୀବୀମାନେ ଏଠାରେ ଶତାବ୍ଦୀ ଧରି ବସବାସ କରୁଥିବା ବେଳେ ସେମାନଙ୍କର ରୀତିନୀତି, ପର୍ବପର୍ବାଣୀ, ବିବାହ ଉତ୍ସବ ସବୁ ଏଠାରେ ପାଳନ କରିଥାନ୍ତି। ଏହି ଲୋକମାନଙ୍କର ଜୀବିକାର ମାଧ୍ୟମ ହେଉଛି ମାଛଧରିବା। ସେମାନେ ସମୁଦ୍ରରେ ବହୁ ପରିମାଣରେ ମାଛ ଧରିବା ପରେ ତାହାକୁ ବଜାରକୁ ନେଇ ବିକ୍ରି କରନ୍ତି। ସେଥିରୁ ମିଳୁଥିବା ଟଙ୍କାରେ ପରିବାର ପ୍ରତିପୋଷଣ କରନ୍ତି।
ଏହି ଗାଁରେ ବାସ କରୁଥିବା ଲୋକଙ୍କ ଇତିହାସକୁ ଦେଖିଲେ ସେମାନେ ସପ୍ତମ ଶତାବ୍ଦୀରେ ଟାଙ୍ଗ ରାଜବଂଶ ଦ୍ୱାରା ଶାସିତ ହୋଇଥିଲେ। ଟାଙ୍ଗ ଶାସନ କାଳରେ, ଟାଙ୍କା ଜାତିର ଲୋକମାନେ ବହୁ ଅତ୍ୟାଚାରର ଶିକାର ହୋଇଥିଲେ। ତାଙ୍କୁ ଶାରିରୀକ ଓ ମାନସିକ ଭାବେ ବହୁତ ଯନ୍ତ୍ରଣା ଦିଆଯାଉଥିଲା। ଏସବୁରେ କ୍ଳାନ୍ତ ହୋଇ ସେମାନେ ପାଣିରେ ବସତି ସ୍ଥାପନ କରି ରହିବାକୁ ରାଜ୍ୟ ଛାଡି ଚାଲିଯାଇଥିଲେ। ଯଦିଓ ଆଧୁନିକ ଯୁଗରେ ଅନେକ ପରିବର୍ତ୍ତନ ହୋଇଛି, କିନ୍ତୁ ଏହି ଲୋକମାନେ ସେମାନଙ୍କର ପରମ୍ପରାକୁ ଏବେବି ଅତ୍ୟନ୍ତ ବିଶ୍ଵାସର ସହ ପାଳନ କରନ୍ତି। ସେମାନେ ଏବେବି ସମୁଦ୍ର ଛାଡ଼ି ମାଟିରେ ରହିବା ପାଇଁ ଚାହାଁନ୍ତି ନାହିଁ। ପାଣି ଭିତରେ ରହିଥିବା ଏହି ଗାଁଟି ଅତ୍ୟନ୍ତ ସୁନ୍ଦର ଦେଖାଯାଏ। ବେଳାଭୂମି ବୁଲି ଯାଉଥିବା ଲୋକମାନେ ବା ପର୍ଯ୍ୟଟକ ଏହି ଗାଁଟିକୁ ବୁଲି ଯାଇ କିଛି ନିରୋଳା ସମୟ ବିତେଇଥାନ୍ତି। ଏଠାରୁ ପ୍ରକୃତିର ଏକ ଅନନ୍ୟ ରୂପ ଦେଖିବାକୁ ମିଳେ।

Leave a comment