ପଞ୍ଚଭୂତରେ ବିଲୀନ ହେଲେ ‘ଦଣ୍ଡା ବାଳୁଙ୍ଗା’, ମୁଖାଗ୍ନି ଦେଲେ ବାବୁସାନ

ସତ୍ୟନଗର ଶ୍ମଶାନରେ ବର୍ଷିଆନ କଳାକାର ଉତ୍ତମ ମହାନ୍ତିଙ୍କୁ ଗାର୍ଡ ଅଫ୍ ଅନର୍ ଦିଆଯିବା ସହ ଶେଷକୃତ୍ୟ ସମ୍ପନ୍ନ ହୋଇଛି । ପୁଅ ବାବୁସାନ ମହାନ୍ତି ବାପାଙ୍କୁ ମୁଖାଗ୍ନି ଦେଇଛନ୍ତି । ଜଗନ୍ନାଥ ବିହାର ବାସଭବନରୁ ଉତ୍ତମ ମହାନ୍ତିଙ୍କ ମରଶରୀର ସତ୍ୟନଗର ଶ୍ମଶାନ ନିଆଯିବା ସମୟରେ ଶେଷଯାତ୍ରାରେ ସଂପର୍କୀୟ, ପ୍ରଶଂସକଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା । ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ହେବ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯାଇଛି ।
ଗତ ରାତିରେ ଗୁରଗ୍ରାମର ମେଦାନ୍ତ ହସ୍ପିଟାଲରେ ଉତ୍ତମ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ । ଖବର ପ୍ରଚାରିତ ହେବା ପରେ ଉତ୍ତମଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ଅନେକ ବିଶିଷ୍ଟ ନେତା ଓ କଳାକାର ଶୋକବ୍ୟକ୍ତ କରିଥିଲେ । ଆଜି ସକାଳେ ଅଭିନେତା ଉତ୍ତମ ମହାନ୍ତିଙ୍କ ମର ଶରୀରକୁ ଦିଲ୍ଲୀରୁ ଭୁବନେଶ୍ୱର ଅଣାଯାଇଥିଲା । ଏହାପରେ ଉତ୍ତମ ମହାନ୍ତିଙ୍କ ଜଗନ୍ନାଥ ବିହାର ସ୍ଥିତ ବାସଭବନକୁ ନିଆଯାଇଥିଲା । ସେଠାରେ ଉତ୍ତମଙ୍କ ଶେଷ ଦର୍ଶନ କରିଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଶ୍ରଦ୍ଧାଞ୍ଜଳି ଜଣାଇ ଉତ୍ତମଙ୍କ ପରିବାରକୁ ଭେଟିବା ସହ ସମବେଦନା ଜଣାଇଥିଲେ ମୁଖ୍ୟମନ୍ତ୍ରୀ । ଅପରାହ୍ନରେ ସତ୍ୟନଗର ଶ୍ମଶାନରେ ଉତ୍ତମଙ୍କ ଶେଷକୃତ୍ୟ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ କରାଯାଇଛି ।
ବିଶିଷ୍ଟ ଅଭିନେତା ଉତ୍ତମ ମହାନ୍ତି ଓଡ଼ିଆ ସିନେମା ଜଗତର ଜଣେ ଭେଟରାନ ଅଭିନେତା । ୨୩ ଡିସେମ୍ବର ୧୯୫୮ ମସିହାରେ ମୟୂରଭଞ୍ଜ ଜିଲ୍ଲାର ବାରିପଦାଠାରେ ଜନ୍ମ ଗ୍ରହଣ କରିଥିଲେ । ସେ ସର୍ବମୋଟ ୧୩୫ଟି ଓଡ଼ିଆ, ୩୦ଟି ବଙ୍ଗଳା ଓ ଗୋଟିଏ ହିନ୍ଦୀ ସିନେମାରେ ଅଭିନୟ କରିସାରିଛନ୍ତି । ଓଡ଼ିଆ ଫିଲ୍ମ୍ ଅଭିନେତ୍ରୀ ଅପରାଜିତାଙ୍କୁ ସେ ୧୯୮୭ ମସିହାରେ ବିବାହ କରିଥିଲେ । ସେମାନଙ୍କ ପୁତ୍ର ବାବୁସାନ ମଧ୍ୟ ଜଣେ ଜଣାଶୁଣା ସିନେ ଅଭିନେତା ।
୧୯୭୭ ମସିହାରେ ସେ ଅଭିମାନ ଚଳଚ୍ଚିତ୍ର ଜରିଆରେ ଓଡ଼ିଆ ସିନେ ଜଗତରେ ପାଦ ଥାପି ଥିଲେ। ଏହାପରେ ସେ ପାଠପଢ଼ା ପାଇଁ ତିନିବର୍ଷ ବିରତି ନେଇ ପୁଣି ପତିପତ୍ନୀ ଚଳଚ୍ଚିତ୍ରରେ ଅଭିନୟ କରିବା ଆରମ୍ଭ କଲେ ।
ତାଙ୍କ ଅଭିନୀତ ସିନେମା ଗୁଡ଼ିକ ହେଉଛି:-
୧୯୯୯ରେ କଳ୍କୀ ଅବତାର, ୧୯୯୮ରେ ରୂପା ଗାଁର ସୁନାକନିଆଁ, ୧୯୯୬ରେ ପୁଅ ମୋର ଭୋଳାଶଙ୍କର, ସୁହାଗ ସିନ୍ଦୂର, ଲକ୍ଷ୍ମଣ ରେଖା, ଯଶୋଦା, ୧୯୯୨ରେ କପାଳ ଲିଖନ, ଭୀଷ୍ମ ପ୍ରତିଜ୍ଞା, ଏଇ ଆମ ସଂସାର, ୧୯୮୯ରେ ପଞ୍ଚୁ ପାଣ୍ଡବ, ୧୯୮୮ରେ ପାପପୁଣ୍ୟ, ୧୯୮୫ରେ ପୂଜାଫୁଲ, ସତ କେବେ ଲୁଚି ରହେନା, ସମୟ ବଡ଼ ବଳବାନ, ସହରୀ ବାଘ, ୧୯୮୪ରେ ଦଣ୍ଡା ବାଳୁଙ୍ଗା, ୧୯୮୩ରେ ଝିଅଟି ସୀତା ପରି, ୧୯୮୨ରେ ଫୁଲ ଚନ୍ଦନ, ୧୯୮୦ରେ ରାମାୟଣ, ୧୯୭୭ରେ ଅଭିମାନ ।
ସେ ତାଙ୍କ ଅଭିନୟ ଜୀବନ କାଳରେ ଅନେକ ପୁରସ୍କାରରେ ସମ୍ମାନିତ ହୋଇଛନ୍ତି। ତାଙ୍କୁ ୨୦୧୨ରେ ଓଡ଼ିଶା ଲିଭିଙ୍ଗ ଲିଜେଣ୍ଡ ପୁରସ୍କାର, ୨୦୦୮ରେ ଶ୍ରେଷ୍ଠ ଅଭିନେତା, “ଫିଟଫାଟ ବାଇସ୍କୋପ” ପୁରସ୍କାର, ୨୦୦୬ରେ ଇନ୍ଦିରା ଗାନ୍ଧୀ ପ୍ରିୟଦର୍ଶିନୀ ପୁରସ୍କାର, ୧୯୯୯ରେ ଜୟଦେବ ପୁରସ୍କାର ମିଲିଛି। ସେହିପରି ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଭାବେ ୧୯୯୧ରେ ଶ୍ରେଷ୍ଠ ସହ-ଅଭିନେତା (ତୋ ବିନୁ ଅନ୍ୟଗତି ନାହିଁ) ପାଇଁ, ୧୯୮୪ରେ ସିନେମା ଦଣ୍ଡା ବାଳୁଙ୍ଗାରେ ଶ୍ରେଷ୍ଠ ଅଭିନେତା, ୧୯୮୩ରେ ଶ୍ରେଷ୍ଠ ଅଭିନେତା(ଝିଅଟି ସୀତା ପରି)୧୯୮୨ରେ ଶ୍ରେଷ୍ଠ ଅଭିନେତା, (ଫୁଲ ଚନ୍ଦନ), ଶ୍ରେଷ୍ଠ ଅଭିନେତା, ଚିତ୍ରପୁରୀ ପୁରସ୍କାର ମିଳିଛି ।
ପୁଅ ମୋର ଭୋଳାଶଙ୍କର, ସୁହାଗ ସିନ୍ଦୂର, ଲକ୍ଷ୍ମଣ ରେଖା, ରୂପା ଗାଁର ସୁନାକନିଆଁ, ସମୟ ବଡ଼ ବଳବାନ, ଦଣ୍ଡା ବାଳୁଙ୍ଗା ଆଦି ସିନେମା ଜରିଆରେ ସେ ଓଡିଆଙ୍କ ପ୍ରିୟ ଅଭିନେତା ହୋଇପାରିଥିଲେ। ଯାହା ତାଙ୍କ ଘରେ ଘରେ ପରିଚିତ କରାଇଥିଲା। କିଛି ବର୍ଷ ହେବ ତାଙ୍କର ସ୍ବାସ୍ଥ୍ୟବସ୍ଥା ଖରାପ ରହୁଥିଲା। ତାଙ୍କର ଚିକିତ୍ସା ମଧ୍ୟ ଚାଲିଥିଲା। ତଥାପି ତାଙ୍କୁ ଅନେକ ସିନେ ଇଭେଣ୍ଟରେ ଦେଖିବାକୁ ମିଳେ। ନିକଟରେ ତାଙ୍କୁ ବସନ୍ତ ନାୟକଙ୍କ ଜନ୍ମ୍ ବାର୍ଷିକୀରେ ଯୋଗ ଦେଇଥିବାର ଦର୍ଶକ ଦେଖିଥିଲେ। ସେତେବେଳେ ତାଙ୍କ ସ୍ବାସ୍ଥ୍ୟବସ୍ଥା ଭଲ ଥିବା ଦେଖିବାକୁ ମିଳିଥିଲା। ଏମିତିକି ସେ ଗଣମାଧ୍ୟମକୁ ବାଇଟ୍ ମଧ୍ଯ ଦେଇଥିଲେ। ହଠାତ୍ ତାଙ୍କ ସ୍ବାସ୍ଥ୍ୟ ଖବର ଶୁଣି ପ୍ରଶଂସକମାନେ ବହୁତ୍ ଭାଙ୍ଗି ପଡିଥିଲେ ।