ନୀତି ଆୟୋଗଙ୍କ ବିତ୍ତୀୟ ସ୍ୱାସ୍ଥ୍ୟ ସୂଚୀରେ ଓଡିଶା ପ୍ରଥମ, ନବୀନଙ୍କ ସୁଶାସନର ପ୍ରତିଫଳନ: ବିଜେଡି
ଭୁବନେଶ୍ୱର : ନୀତି ଆୟୋଗଙ୍କ ଦ୍ୱାରା ପ୍ରକାଶିତ ୨୦୨୫ର ବିତ୍ତୀୟ ସ୍ୱାସ୍ଥ୍ୟ ସୂଚୀରେ, ଓଡ଼ିଶା ଦେଶର ସମସ୍ତ ରାଜ୍ୟ ମାନଙ୍କୁ ପଛରେ ପକାଇ ଶୀର୍ଷ ସ୍ଥାନରେ ରହିଛି । ଏହି ରିପୋର୍ଟକୁ ନେଇ ଆଜି ବିଜୁ ଜନତା ଦଳ ବିଜେପିକୁ ଘେରିଛି । ଶଙ୍ଖ ଭବନରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ଦଳର ବରିଷ୍ଠ ନେତା ତଥା ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ରାଜନୈତିକ ସଚିବ ଡ଼ ସଂତୃପ୍ତ ମିଶ୍ର କହିଥିଲେ, ବିଜେପିର ନେତା ଓ ମନ୍ତ୍ରୀ ମାନଙ୍କ ଦ୍ୱାରା ବାରମ୍ୱାର ନବୀନଙ୍କ ଶାସନ କାଳରେ କିଛି ହୋଇନାହିଁ ବୋଲି କରୁଥିବା ପ୍ରଚାର ଆଜି କେନ୍ଦ୍ର ସରକାରଙ୍କ ସଂସ୍ଥା ନୀତି ଆୟୋଗର ଏହି ରିପୋର୍ଟରେ ଭୁଲ୍ ପ୍ରମାଣିତ ହୋଇଛି ।
ଡ଼ ମିଶ୍ର କହିଥିଲେ, ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ଏହି ସୂଚୀ ଜାରି କରାଯାଇଛି, ଯେଉଁଥିରେ ଓଡିଶା ପ୍ରଥମ ସ୍ଥାନ ହାସଲ କରି ଆଚିଭର ବର୍ଗରେ ରହିଛି । ନୀତି ଆୟୋଗର ଏହି ରିପୋର୍ଟ ଅନୁଯାୟୀ, ୨୦୧୪-୧୫ରୁ ୨୦୨୧-୨୨ ପର୍ଯ୍ୟନ୍ତ ଲଗାତର ଭାବେ ଓଡିଶା ପ୍ରଥମ ସ୍ଥାନ ହାସଲ କରିଆସୁଛି । ତେଣୁ ଦୀର୍ଘ ସମୟ ଧରି ବିତ୍ତୀୟ ଶୃଙ୍ଖଳା ପ୍ରଦର୍ଶନ କରିବାରେ ଓଡିଶା ଉଦାହରଣ ସୃଷ୍ଟି କରିଛି । ନୀତି ଆୟୋଗଙ୍କ ଏହି ରିପୋର୍ଟ ଅନୁଯାୟୀ ସାମଗ୍ରୀକ ୬୭.୮ ପଏଣ୍ଟ ପାଇ ଓଡିଶା ପ୍ରଥମ ସ୍ଥାନରେ ରହିଥିବା ବେଳେ ୫୫.୨ ପଏଣ୍ଟ ପାଇ ଛତିଶଗଡ଼ ଦ୍ୱିତୀୟ ଓ ୫୩.୬ ପଏଣ୍ଟ ପାଇ ଗୋଆ ତୃତୀୟ ସ୍ଥାନରେ ରହିଛି । ପ୍ରଥମ ସ୍ଥାନରେ ଥିବା ଓଡିଶା ଦ୍ୱିତୀୟ ସ୍ଥାନରେ ଥିବା ଛତିଶଗଡ଼ ଠାରୁ ୧୨ ପଏଣ୍ଟ ଭଳି ବୃହତ ବ୍ୟବଧାନ ରହିଛି । ବିକାଶ ମାନଚିତ୍ରରେ ଓଡିଶା ଠାରୁ ଆଗରେ ଥିବା ତାମିଲନାଡୁ, କର୍ଣ୍ଣାଟକ ଓ ହରିଆନା ବିତ୍ତୀୟ ଶୃଙ୍ଖଳା କ୍ଷେତ୍ରରେ ଓଡିଶା ଠାରୁ ଢେର ପଛରେ ରହିଛନ୍ତି । ପଞ୍ଜାବ, ପଶ୍ଚିମବଙ୍ଗ ଓ ଆନ୍ଧ୍ରପ୍ରଦେଶ ଏହି କ୍ଷେତ୍ରରେ ସବୁଠାରୁ ପଛରେ ରହିଛନ୍ତି ।
ସେ କହିଥିଲେ, ଏହି ରିପୋର୍ଟ ଅନୁଯାୟୀ, ଓଡିଶା ଋଣ ସୂଚକାଙ୍କରେ ୯୯.୦ ଓ ନିୟମିତ ଋଣ ପୈଠ ଓ ଉନ୍ନତ ଋଣ ସ୍ଥିତିରେ ୬୪.୦ ସହିତ ପ୍ରଥମ ସ୍ଥାନରେ ରହିଛି । ସେହିପରି ଆର୍ଥିକ ଶୃଙ୍ଖଳା କ୍ଷେତ୍ରରେ ଓଡିଶା ୫୪, ବ୍ୟୟର ଗୁଣାତ୍ମକ ମାନରେ ୫୨ ଓ ରାଜସ୍ୱ ସଂଗ୍ରହରେ ୬୯.୯ ରହିଛି । ଓଡ଼ିଶାର ବିତ୍ତୀୟ ନିଅଣ୍ଟ ଦେଶର ଅନ୍ୟ ରାଜ୍ୟ ମାନଙ୍କ ତୁଳନାରେ ସର୍ବନିମ୍ନ ରହିଛି । ୨୦୦୦-୦୧ରେ ରାଜ୍ୟର ବିତ୍ତୀୟ ନିଅଣ୍ଟ ରାଜ୍ୟର ମୋଟ ଘରୋଇ ଉତ୍ପାଦ (ଜିଏସଡିପି)ର ୬.୯ ଭଳି ଉଚ୍ଚ ସ୍ତରରେ ଥିଲା, ଯାହା ୨୦୨୨-୨୩ ବେଳକୁ ମାତ୍ର ଦୁଇ ପ୍ରତିଶତକୁ ଖସିଆସିଛି । ୨୦୧୯-୨୦ ପରଠାରୁ ଲଗାତର ଭାବେ ଓଡ଼ିଶାର ଋଣ ଭାର ହ୍ରାସ ପାଇବାରେ ଲାଗିଛି ।
ଏହି ରିପୋର୍ଟରେ ଓଡ଼ିଶାର ରାଜସ୍ୱ ସଂଗ୍ରହ ବୃଦ୍ଧି ହାର ମଧ୍ୟ ଉଲ୍ଲେଖନୀୟ ଭାବେ ଅଗ୍ରଗତି କରିଥିବା ଦର୍ଶାଯାଇଛି । ୨୦୧୮-୧୯ରୁ ୨୦୨୨-୨୩ ଭିତରେ ଓଡ଼ିଶାର ଖଣି ରାଜସ୍ୱ ବୃଦ୍ଧି କ୍ଷେତ୍ରରେ ଚମକପ୍ରଦ ଅଭିବୃଦ୍ଧି ଘଟିଛି । ଚାରି ବର୍ଷ ତଳେ ରାଜ୍ୟର ମୋଟ ଘରୋଇ ଉତ୍ପାଦନର ଏହି ଆୟ ୨.୯ ପ୍ରତିଶତ ଥିଲା, ଯାହା ୨୦୨୨-୨୩ ବେଳକୁ ୫.୬ ପ୍ରତିଶତକୁ ବୃଦ୍ଧି ପାଇଛି । ସେହିପରି ବଜେଟର ଅର୍ଥ ଖର୍ଚ୍ଚ ମାନରେ (ରଙ୍ଘକ୍ଟ୍ରରଦ୍ଭୟସଗ୍ଧଙ୍କକ୍ସର କ୍ତଙ୍କବକ୍ଷସଗ୍ଧଚ୍ଚ) ଓଡିଶା ୫୨ ପଏଣ୍ଟ ହାସଲ କରି ପ୍ରଥମ ଚାରିଟି ରାଜ୍ୟ ମଧ୍ୟରେ ସ୍ଥାନ ପାଇଛି । ୨୦୧୮-୧୯ରୁ ୨୦୨୨-୨୩ ମଧ୍ୟରେ ଓଡ଼ିଶାର ରାଜସ୍ୱ ବ୍ୟୟ ୫୩.୫ ପ୍ରତିଶତ ଓ ପୁଞ୍ଜି ବ୍ୟୟ ୪୨ ପ୍ରତିଶତ ବୃଦ୍ଧି ପାଇଛି । ଏହି ସମୟରେ ରାଜ୍ୟର ରାଜସ୍ୱ ବ୍ୟୟ ହାରାହାରି ୯.୨ ପ୍ରତିଶତ ହାରରେ ବୃଦ୍ଧି ପାଇଛି ।୨୦୨୦-୨୨ ମଧ୍ୟରେ ରାଜ୍ୟରେ ସ୍ୱାସ୍ଥ୍ୟ ଓ ଶିକ୍ଷା କ୍ଷେତ୍ରରେ ରାଜସ୍ୱ ବ୍ୟୟ ୩୩.୮ ପ୍ରତିଶତ ହାରରେ ବୃଦ୍ଧି ପାଇଛି, ଯାହା ଅନ୍ୟ ରାଜ୍ୟ ମାନଙ୍କ ତୁଳନାରେ ଢେର ଅଧିକ ।
ଡ଼ ମିଶ୍ର କହିଥିଲେ, ଏଫଆରବିଏମ ଆକ୍ଟର ଗାଇଡଲାଇନ ଅନୁଯାୟୀ, ରାଜ୍ୟର ଋଣ ପରିମାଣ ରାଜ୍ୟର ଜିଏସଡିପିର ୨୫ ପ୍ରତିଶତ ଭିତରେ ରହିବା କଥା, ଯାହା ୨୦୧୮-୧୯ରୁ ୨୦୨୨-୨୩ ଭିତରେ ଓଡ଼ିଶାର ୧୫ରୁ ୨୪ ପ୍ରତିଶତ ଭିତରେ ରହିଛି । ଉଲ୍ଲେଖଯୋଗ୍ୟ ଯେ, କୌଣସି ରାଜ୍ୟ ବା ଦେଶକୁ ଆଗକୁ ବଢ଼ିବାକୁ ହେଲେ ଆର୍ଥିକ ଶୃଙ୍ଖଳାର ଆବଶ୍ୟକତା ନିତ୍ୟାନ୍ତ ଜରୁରୀ । ଓଡିଶା ବିଭିନ୍ନ କ୍ଷେତ୍ରରେ ବିକାଶ ଅଭିମୁଖେ ଅଗସ୍ର ର ହେବା ସହିତ ଆର୍ଥିକ ଶୃଙ୍ଖଳା ବଜାୟ ରଖିବା ଏକ ଗୁରୁତ୍ୱପୂର୍ଣ୍ଣ ଉପଲବ୍ôଧ । ୨୦୦୦ ମସିହାରେ ନବୀନ ପଟ୍ଟନାୟକ ରାଜ୍ୟର ଶାସନ ଭାର ଗ୍ରହଣ କରିବା ସମୟରେ ରାଜ୍ୟର ଆର୍ଥିକ ସ୍ଥିତି ଏତେ ଦୟନୀୟ ଥିଲା ଯେ ସରକାରୀ କର୍ମଚାରୀଙ୍କୁ ଦରମା ଦେବାକୁ ଓଭରଡ୍ରାଫ୍ଟର ସହାୟତା ନେବାକୁ ପଡୁଥିଲା ଓ ପରେ ରିଜର୍ଭ ବ୍ୟାଙ୍କ ଓଭରଡ୍ରାଫ୍ଟ ଦେବାକୁ ମନା କରି ଦେଇଥିଲା । ନବୀନଙ୍କ ଦୂରଦର୍ଶୀ ନେତୃତ୍ୱ ଯୋଗୁଁ ଓଡିଶାକୁ ନୀତି ଆୟୋଗ ଭଳି କେନ୍ଦ୍ରୀୟ ସଂସ୍ଥାରୁ ପ୍ରଶଂସା ମିଳୁଛି । ନବୀନ ସରକାରଙ୍କ ଚବିଶ ବର୍ଷର ଶାସନ କାଳରେ ଓଡ଼ିଶାର କିଛି ବିକାଶ ହୋଇନାହିଁ ବୋଲି ଦାବି କରି ଆସୁଥିବା ବିଜେପି ଓ ନବୀନ ସରକାରଙ୍କ କାମକୁ କେବଳ ନାମ ଓ ରଙ୍ଗ ପରିବର୍ତ୍ତନ କରୁଥିବା ବିଜେପି ସରକାର ଆଜିର ଏହି ଉପଲବ୍ôଧକୁ ଓଡିଶାବାସୀଙ୍କ ସମ୍ମୁଖରେ ସ୍ୱୀକାର କରିବାର ଆବଶ୍ୟକତା ଅଛି ବୋଲି ଡ଼ ମିଶ୍ର କହିଥିଲେ ।
ସେ ଆହୁରି କହିଥିଲେ, ନବୀନ ସରକାରଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ମେକ ଇନ ଓଡିଶା କାର୍ଯ୍ୟକ୍ରମ ମାଧ୍ୟମରେ ଓଡିଶା ବିଶ୍ୱର ପ୍ରତିଷ୍ଠିତ ଶିଳ୍ପ ସଂସ୍ଥା ମାନଙ୍କର ଆକର୍ଷଣର କେନ୍ଦ୍ର ପାଲଟି ପାରିଛି । ନବୀନଙ୍କ ଏହି ଦୂରଦର୍ଶୀ ଉଦ୍ୟମ ପାଇଁ, ପୁଞ୍ଜି ନିବେଶ ହାସଲ କରିବା କ୍ଷେତ୍େର ର, ଓଡିଶା ୨୦୨୨ ମସିହାରେ ଦେଶର ତୃତୀୟ ଶ୍ରେଷ୍ଠ ରାଜ୍ୟ, ୨୦୨୩ ମସିହାରେ ଦ୍ୱିତୀୟ ଶ୍ରେଷ୍ଠ ରାଜ୍ୟ ଓ ୨୦୨୪ ମସିହାରେ ଦେଶର ଶ୍ରେଷ୍ଠ ରାଜ୍ୟର ସ୍ଥାନ ହାସଲ କରିଥିଲା । ମେକ ଇନ ଓଡିଶାର ନାମ ପରିବର୍ତ୍ତନ କରାଯାଇ ଏବେ ଉତ୍କର୍ଷ ଓଡିଶା ରଖାଯାଇଛି । ଗୋଟିଏ ସଫଳ ଯୋଜନାର ନାମ ପରିବର୍ତ୍ତନର କ’ଣ ଆବଶ୍ୟକତା ପଡିଲା ବୋଲି ସେ ପ୍ରଶ୍ନ କରିଥିଲେ । ସୁତରାଂ ନବୀନଙ୍କ ସମୟରେ ଓଡିଶା ହାସଲ କରିଥିବା ସଫଳତାକୁ, କେବଳ ରାଜନୀତି ଉଦ୍ଦେଶ୍ୟରେ ଗୌଣ କରିବା ପାଇଁ ବିଜେପିର ଉଦ୍ୟମକୁ ଓଡିଶାବାସୀ ଗ୍ରହଣ କରିବେ ନାହିଁ ବୋଲି ସେ କହିଥିଲେ ।