ନିର୍ବାଚନର ସ୍ଵଚ୍ଛତା ଉପରେ ପ୍ରଶ୍ନ କଲା ବିଜେଡି
ଭୁବନେଶ୍ୱର : ବିଜୁ ଜନତା ଦଳର ଏକ ପ୍ରତିନିଧି ମଣ୍ଡଳୀ ଗତ କାଲି ଦେଶର ନିର୍ବାଚନ କମିସନରଙ୍କୁ ଭେଟି ଗତ ସାଧାରଣ ନିର୍ବାଚନରେ ଏକ ବଡ଼ ଧରଣର ଅସଙ୍ଗତି ଥିବା ଦର୍ଶାଇଥିବା ବେଳେ ଆଜି ଶଙ୍ଖ ଭଵନ ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଦଳର ପୂର୍ବତନ ମନ୍ତ୍ରୀ ତଥା ମୁଖପାତ୍ର ଅରୁଣ କୁମାର ସାହୁ ଓ ପୂର୍ବତନ ସାଂସଦ ଶର୍ମିଷ୍ଠା ସେଠି ନିର୍ବାଚନ ଶେଷ ହେବା ପରେ ପ୍ରଦାନ କରାଯାଇଥିବା ଭୋଟ ସଂଖ୍ୟା ଓ ଗଣତି ହୋଇଥିବା ଭୋଟ ସଂଖ୍ୟା ଭିତରେ ଥିବା ତାରତମ୍ୟ ସମଗ୍ର ନିର୍ବାଚନ ପ୍ରକ୍ରିୟା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି ବୋଲି କହିଛନ୍ତି।
ଶ୍ରୀ ସାହୁ କହିଥିଲେ, ଗତ ନିର୍ବାଚନର ଭୋଟ ଗଣତି ବେଳେ କିଛି ସ୍ଥାନରେ ଭୋଟ ଅସଙ୍ଗତି ଥିବାର ପ୍ରାକ ସୂଚନା ମିଳିଥିଲା। ବିଜୁ ଜନତା ଦଳ ତରଫରୁ ରାଜ୍ୟର ବିଭିନ୍ନ ନିର୍ବାଚନ ମଣ୍ଡଳୀର ତଥ୍ୟକୁ ତର୍ଜମା କରିବା ପ୍ରକ୍ରିୟା ଆରମ୍ଭ କରାଯାଇଥିଲା। ପରେ ନିର୍ବାଚନ ଅଧିକାରୀ ମାନଙ୍କୁ ସୂଚନା ଅଧିକାର ଆଇନ ଆଧାରରେ ଫର୍ମ ୧୭ ସି ର କପି ପାଇଁ ଆବେଦନ କରାଯାଇଥିଲା। ନିର୍ବାଚନ ଲଢୁଥିବା ପ୍ରାର୍ଥୀମାନେ ଆଇନର ବ୍ୟବସ୍ଥା ଅନୁଯାୟୀ ଏହି ଫର୍ମ ପାଇବାକୁ ହକଦାର ହୋଇଥିଲା ବେଳେ ସାଧାରଣ ଜନତା ମଧ୍ୟ ସୂଚନା ଅଧିକାର ଆଇନ ମାଧ୍ୟମରେ ଏହାକୁ ପାଇପାରିବେ। କିନ୍ତୁ ଏହା ସତ୍ତ୍ଵେ, ରାଜ୍ୟର ନିର୍ବାଚନ ଅଧିକାରୀମାନେ ଏହାକୁ ପ୍ରଦାନ କରି ନଥିଲେ।
ସୂଚନାଯୋଗ୍ୟ, ଭୋଟିଂ ଶେଷ ହେବା ପରେ ପ୍ରିଜାଇଡିଙ୍ଗ ଅଫିସର ଫର୍ମ ୧୭ସି ମାଧ୍ୟମରେ ସେହି ବୁଥରେ ପଡ଼ିଥିବା ଭୋଟ ସଂଖ୍ୟାକୁ ଉଲ୍ଲେଖ କରିଥାନ୍ତି। ଏଥିରେ ପ୍ରଦାନ କରାଯାଉଥିବା ଭୋଟ ଠାରୁ ଗଣତି ହେଉଥିବା ଭୋଟ ସଂଖ୍ୟା ଅଧିକ ବାହାରୁ ଥିବାରୁ ସମଗ୍ର ନିର୍ବାଚନ ପ୍ରକ୍ରିୟାର ସ୍ଵଚ୍ଛତା ଉପରେ ପ୍ରଶ୍ନ ସୃଷ୍ଟି କରୁଛି। ତେଣୁ ରାଜ୍ୟର ନିର୍ବାଚନ ଅଧିକାରୀ ମାନେ ଫର୍ମ ୧୭ସି ର କପି ପ୍ରଦାନ ନକରିବା, ନିର୍ବାଚନ ପ୍ରକ୍ରିୟାରେ ସ୍ୱଚ୍ଛତା ନଥିବା କଥାକୁ ଘୋଡାଇବାକୁ ଉଦ୍ୟମ କରୁଥିବା ପରି ମନେ ହେଉଛି। ସମ୍ଭବତଃ ସେମାନେ ରାଜ୍ୟ ସରକାରଙ୍କ ଚାପରେ ଏପରି କରୁଛନ୍ତି ବୋଲି ଶ୍ରୀ ସାହୁ ଅଭିଯୋଗ କରିଥିଲେ। ଏହି ଆଧାରରେ, ଏକ ଦାୟିତ୍ଵସଂପୂର୍ଣ୍ଣ ଦଳ ଭାବେ ବିଜେଡିର ପ୍ରତିନିଧି ମଣ୍ଡଳୀ ନିଜର ଅନୁସନ୍ଧାନ ମାଧ୍ୟମରେ ପାଇଥିବା ତଥ୍ୟ କିପରି ଭୋଟରେ ଅସଙ୍ଗତିକୁ ପ୍ରମାଣିତ କରୁଛି ତାହା ଦେଶର ନିର୍ବାଚନ କମିସନରଙ୍କ ସମ୍ମୁଖରେ ଉପସ୍ଥାପନ କରିବା ସହିତ ନିର୍ବାଚନରେ ସ୍ଵଚ୍ଛତା, ବୈଧତା ଓ ନିରପେକ୍ଷତା ଉପରେ ପ୍ରଶ୍ନ ଉଠାଇଛନ୍ତି।