ନକଲି ରେଲୱେ ଅଫିସର ଗିରଫ, ମହିଳାଙ୍କୁ ଯୌନ ଓ ଆର୍ଥିକ ଶୋଷଣ କରୁଥିଲା

0

ଭୁବନେଶ୍ୱର, ସେପ୍ଟେମ୍ବର ୧୩: ଓଡିଶା କ୍ରାଇମ ବ୍ରାଞ୍ଚର ସାଇବର ଅପରାଧ ୟୁନିଟ ଅନୁଗୁଳ ଚେଣ୍ଡିପଦାର ବିରଞ୍ଚିି ନାରାୟଣ ନାଥଙ୍କୁ ଗିରଫ କରିଛି । ସେ ନିଜକୁ କେତେବେଳେ ରେଲୱେ ଅଫିସର ତ କେତେବେଳେ ଆୟକର ବିଭାଗ ଅଧିକାରୀ କହି ମହିଳାଙ୍କୁ ଯୌନ ଏବଂ ଆର୍ଥିକ ଭାବରେ ଶୋଷଣ କରୁଥିଲେ । କ୍ରାଇମବ୍ରାଞ୍ଚ ତା’ ବିରୋଧରେ ଏକ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଛି ।

ଅଭିଯୁକ୍ତ ବିରଞ୍ଚି ନାରାୟଣ ଏକ ମାଟ୍ରିମୋନିଆଲ୍ ୱେବସାଇଟ୍‌ରେ ନକଲି ପ୍ରୋଫାଇଲ୍ ସୃଷ୍ଟି କରିଥିଲେ, ଯେଉଁଥିରେ ସେ ନିଜକୁ ରେଲୱେର ଟିଟି, ଆୟକର ବିଭାଗର ଅଫିସର ଏବଂ କଷ୍ଟମ୍ ଅଫିସର ଭାବରେ ଦର୍ଶାଇଥିଲେ । ଏହିପରି ଭାବେ ସେ ଅନେକ ମହିଳାଙ୍କୁ ଠକେଇ କରିଥିଲେ । ସେ ବିଭିନ୍ନ ନାମ ବ୍ୟବହାର କରି, ମାନସ ରଥ, ପ୍ରଭାକର ଶ୍ରୀବାସ୍ତବ ଓ ବିରଞ୍ଚି ନାରାୟଣ ନାମରେ ନକଲି ୱେବସାଇଟ୍ ପ୍ରୋଫାଇଲ୍ ସୃଷ୍ଟି କରିଥିଲେ ।

ବିବାହ ପାଇଁ ମାଟ୍ରିମୋନି ସାଇଟ୍‌ରେ ନିଜର ବାୟୋଡାଟା ଅପ୍‌ଲୋଡ୍ କରୁଥିଲା । ସେ ଦ୍ୱିତୀୟ ବିବାହ ଲାଗି ଇଚ୍ଛୁକ ଥିବା ପ୍ରୋଫାଇଲରେ ଉଲ୍ଲେଖ କରିଥିଲେ । ବିରଞ୍ଚିଙ୍କର ଏପରି ବାୟୋଡାଟା ଦେଖି ସ୍ୱାମୀ ପରିତ୍ୟକ୍ତା, ମଧ୍ୟ ବୟସ୍କା, ବିଧବା ଓ ଧନୀ ନିସଙ୍ଗ ଜୀବନ ବିତାଉଥିବା ମହିଳା ଆକର୍ଷିତ ହେଉଥିଲେ । ପ୍ରଥମେ ସେ ୱେବସାଇଟରେ ମହିଳାଙ୍କୁ ବିବାହ ପ୍ରସ୍ତାବ ପଠାଉଥିଲେ ଓ ପରେ ଫୋନ୍ କଲ ଓ ଘରକୁ ଯାଇ ସେମାନଙ୍କ ସହିତ ସଂପର୍କ ସୃଷ୍ଟି କରୁଥିଲେ । ମହିଳାମାନଙ୍କୁ ନିଜ କଥାରେ ଫସାଇ ଦ୍ୱିତୀୟ ବିବାହ କରିବା ସହ ତାଙ୍କ ପିଲାଙ୍କ ସଂପୂର୍ଣ୍ଣ ଦାୟିତ୍ୱ ନେବା ଓ ବିବାହ ପରେ ତାଙ୍କୁ ଚାକିରି ଦେବା ଭଳି ଅନେକ ଭାବନାମୂଳକ ପ୍ରତିଶ୍ରୁତି ଦେଉଥିଲେ ।

କଥାବାର୍ତ୍ତା ଆଗେଇବା ପରେ ସଂପୃକ୍ତ ମହିଳାଙ୍କୁ ବିରଞ୍ଚି ମନ୍ଦିରରେ ବିବାହ କରୁଥିଲା । ହେଲେ ବିବାହ ପରେ ପତ୍ନୀଙ୍କୁ ନିଜ ଘରକୁ ଆଣୁନଥିଲା । ସିଏ କାଇଦା କରି ମହିଳାଙ୍କ ଘରେ ଘର ଜୁଇଁଆ ହୋଇ ରହିଯାଉଥିଲେ । ଆଉ ଶାରୀରିକ ସଂପର୍କ ରଖୁଥିଲେ । ମହିଳାଙ୍କ ଅଜାଣତରେ ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ ଓ ଭିଡିଓ ରେକଡିଂ କରୁଥିଲା ।

ପରବର୍ତ୍ତୀ ସମୟରେ ସେହି ଅନ୍ତରଙ୍ଗ ମୁହର୍ତ୍ତର ଫଟୋ ଓ ଭିଡିଓ ଦେଖାଇ ସେମାନଙ୍କୁ ବ୍ଲାକମେଲ୍ କରୁଥିଲା । ଶେଷରେ ଘରେ ଥିବା ଟଙ୍କା ଓ ସୁନା ଧରି ଚମ୍ପଟ ମାରୁଥିଲା । ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ ଓ ଭିଡିଓ ଭାଇରାଲ୍ ହେବା ଭୟରେ ମହିଳାମାନେ ମୁହଁ ଖୋଲିପାରୁନଥିଲେ । ବିରଞ୍ଚି ଏମିତି ଅନେକ ମହିଳାଙ୍କୁ ଠକି ବିବାହ କରି ଲୁଟ୍ କରିଥିବା ଅଭିଯୋଗ ହୋଇଛି ।

ତେବେ ଠକାମୀରେ ଶିକାର ହୋଇଥିବା ଦୁଇ ଜଣ ମହିଳା ଏନେଇ କ୍ରାଇମ୍‌ବ୍ରାଞ୍ଚ ପାଖରେ ଅଭିଯୋଗ କରିଥିଲେ । ଉକ୍ତ ଅଭିଯୋଗକୁ ଭିତ୍ତିିକରି କ୍ରାଇମବ୍ରାଞ୍ଚ ଅଭିଯୁକ୍ତକୁ ଧରିବା ପାଇଁ ଜାଲ ବିଛାଇଥିଲା । ହେଲେ ବାରମ୍ୱାର ଚକ୍‌ମା ଦେଇ ଖସି ଯାଉଥିଲା । ହେଲେ ଆଜି ମହା କ୍ରାଇମବ୍ରାଞ୍ଚ ଅଭିଯୁକ୍ତ ବିରଞ୍ଚିକୁ ଧରିବାରେ ସଫଳ ହୋଇଛି । ଗିରଫ ଅଭିଯୁକ୍ତଙ୍କ ନାଁରେ ରାଜ୍ୟର ବିଭିନ୍ନ ଥାନାରେ ଏକାଧିକା ମାମଲା ରହିଥିବା ଜଣାପଡିଛି ।

ଉଲ୍ଲେଖଥାଉ କି, ନିକଟରେ କଟକର ଜଣେ ମହିଳା ଯାହା ଦ୍ୱିତୀୟ ବିବାହ ଲାଗି ମାଟ୍ରିମୋନୀରେ ସର୍ଚ୍ଚ କରିଥିଲେ । ୨୦୨୨ ମସିହାରେ ତାଙ୍କ ସ୍ୱାମୀ ସଡ଼କ ଦୁର୍ଘଟଣାରେ ପରଲୋକ ଘଟିବା ପରେ ସେ ଏବଂ ତାଙ୍କ ଦୁଇ ଝିଅ ଲାଗି ଭବିଷ୍ୟତର ସୁରକ୍ଷା ଖୋଜୁଥିଲେ । ୨୦୨୩ ଅକ୍ଟୋବର ମାସରେ ସେ ଏକ ମାଟ୍ରିମୋନିଆଲ୍ ସାଇଟ୍ ଉପରେ ନକଲି ପ୍ରୋଫାଇଲ୍ ଦିଆଯାଇଥିବା ଦେଖିଥିଲେ । ଯେଉଁଠାରେ ବିରଞ୍ଚି ନିଜକୁ ପ୍ରଭାକର ଶ୍ରୀବାସ୍ତବ ଓ ରେଲୱେ ଟିଟି ଭାବେ ପରିଚୟ ଦେଇ ଏକ ପ୍ରୋଫାଇଲ ଦେଇଥିଲେ । ଏହା ଜଣାପଡିବା ପରେ ମହିଳା ଜଣକ ପୋଲିସରେ ଅଭିଯୋଗ କରିଥିଲେ ।

Leave a comment