ଦାନ୍ତ ଯନ୍ତ୍ରଣା ଏକ ସାଧାରଣ ସମସ୍ୟା, କିନ୍ତୁ ବେଳେବେଳେ ଏହାର ଯନ୍ତ୍ରଣା ଅସହ୍ୟ ହୋଇପଡେ। ଦାନ୍ତ ଯନ୍ତ୍ରଣାତ ହୁଏ ତାହସହ ଅନେକ ସମୟରେ ମୁହଁ ଫୁଲିଯାଏ ଏବଂ ମୁଣ୍ଡରେ ଯନ୍ତ୍ରଣା ମଧ୍ୟ ଆରମ୍ଭ ହୁଏ। ସାଧାରଣତଃ ଅତ୍ୟଧିକ ଗରମ କିମ୍ବା ଥଣ୍ଡା ଖାଦ୍ୟ ଖାଇବା, ଦାନ୍ତକୁ ସଫା ନରଖିବା, କ୍ୟାଲସିୟମ୍ ଅଭାବ, ଜୀବାଣୁ ସଂକ୍ରମଣ କିମ୍ବା ଦାନ୍ତର ମୂଳ ଦୁର୍ବଳ ହେତୁ ଦାନ୍ତରେ ଯନ୍ତ୍ରଣା ଅନୁଭବହୁଏ। ଅଧିକାଂଶ ଲୋକ ଗୁରୁତର ଦାନ୍ତ ବିନ୍ଧା ସମୟରେ ପେନ୍ କିଲର୍ କିମ୍ବା ଆଣ୍ଟିବାୟୋଟିକ୍ ନିଅନ୍ତି, କିନ୍ତୁ ଏଥିରେ ପାଶ୍ଵପ୍ରତିକ୍ରିୟା ଦେଖା ଯାଇଥାଏ। ହେଲେ ଏଭଳି କିଛି ଘରୋଇ ଉପଚାର ଅଛି ଯାହାଦ୍ଵାରା ସମସ୍ତ ପ୍ରକାର ଦାନ୍ତ ବିନ୍ଧାରୁ ମୁକ୍ତି ମିଳି ପାରିବ। ତେବେ ଆସନ୍ତୁ ଜାଣିବା ସେମିତି କିଛି ଘରୋଇ ଉପଚାର ବିଷୟରେ।

– ଦାନ୍ତ ବିନ୍ଧା ବନ୍ଦ କରିବାରେ ଲବଙ୍ଗର ବ୍ୟବହାର ଅତ୍ୟନ୍ତ ପ୍ରଭାବଶାଳୀ ବୋଲି ବିବେଚନା କରାଯାଏ। ଦାନ୍ତ ତଳେ ଲବଙ୍ଗକୁ ଦବାଇ ରଖିଲେ ଯନ୍ତ୍ରଣା ଦୂର ହୁଏ। ଏହାସହ ଦାନ୍ତରେ ମଧ୍ୟ ଲବଙ୍ଗ ତେଲ ବ୍ୟବହାର କଲେ ଉପକାର ମିଳିଥାଏ।

-କଞ୍ଚା ରସୁଣକୁ ଚୋବାନ୍ତୁ ଦାନ୍ତ ବିନ୍ଧା ରୁ ଉପଶମ ମିଳିବ। ରସୁଣରେ ଆଲିସିନ୍ ଯୌଗିକ ଥାଏ ଯାହା ଆଣ୍ଟିବ୍ୟାକ୍ଟେରିଆଲ୍, ଆଣ୍ଟିଭାଇରାଲ୍ ଏବଂ ଆଣ୍ଟିଫଙ୍ଗାଲ୍ ଗୁଣରେ ପରିପୂର୍ଣ୍ଣ। ଯଦି ଆପଣଙ୍କର ଦାନ୍ତ ଯନ୍ତ୍ରଣା ହେଉଛି ତେବେ କଞ୍ଚା ରସୁଣ ଚୋବାନ୍ତୁ। ଏହା ଆପଣଙ୍କୁ ଆରାମ ଦେବ।

– ହଳଦୀ ଏକ ପ୍ରାକୃତିକ ଆଣ୍ଟିବାୟୋଟିକ୍ ଭାବରେ ବିବେଚନା କରାଯାଏ। ହଳଦୀ ରେ ଲୁଣ ଏବଂ ସୋରିଷ ତେଲ ମିଶାଇ ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ । ଏହି ପେଷ୍ଟକୁ ଦରଜ ହୋଇଥିବା ଦାନ୍ତରେ ଲଗାନ୍ତୁ, ଏହି ପେଷ୍ଟ ଦାନ୍ତରେ ଏକ ଔଷଧ ଭାବରେ କାମ କରେ।

-ହିଙ୍ଗୁର ବ୍ୟବହାର ଖାଦ୍ୟରେ ସ୍ୱାଦ ଏବଂ ସୁଗନ୍ଧ ପାଇଁ ବ୍ୟବହୃତ ହୁଏ, କିନ୍ତୁ ଏହା ଅନେକ ଘରୋଇ ଉପଚାରରେ ମଧ୍ୟ ଲାଭଦାୟକ ଅଟେ। ଯଦି ଆପଣଙ୍କର ଦାନ୍ତ ଯନ୍ତ୍ରଣା ହେଉଛି, ତେବେ ଏକ ଚାମଚ ହିଙ୍ଗୁ ଲେମ୍ବୁ ରସରେ ମିଶାଇ ଦାନ୍ତରେ ତୁଳାରେ ଦେଇ ରଖନ୍ତୁ।ଏହାଦ୍ୱାରା ଯନ୍ତ୍ରଣା କମିଯିବ।

-କଞ୍ଚା ପିଆଜ ଚୋବାନ୍ତୁ। ପିଆଜରେ ଆଣ୍ଟି-ଇନ୍‌ଫ୍ଲାମେଟୋରୀ, ଆଣ୍ଟି-ଆଲର୍ଜି, ଆଣ୍ଟି-କର୍କିନୋଜେନିକ୍ ଏବଂ ଆଣ୍ଟିଅକ୍ସିଡାଣ୍ଟ ଗୁଣ ରହିଛି। ଏହା ପାଟିର ଜୀବାଣୁ ନଷ୍ଟ କରିଥାଏ। ପିଡ଼ା ହେଉଥିବା ଦାନ୍ତରେ ଧୀରେ ଧୀରେ ପିଆଜକୁ ଚୋବାନ୍ତୁ, ଆପଣ ଆରାମ ପାଇ ପାରିବେ।

– ଅତ୍ୟଧିକ ଗରମ କିମ୍ବା ଥଣ୍ଡା ଖାଦ୍ୟ ହେତୁ ଦାନ୍ତରେ ଯନ୍ତ୍ରଣା ଅନୁଭବ ହୁଏ। ଏଥିପାଇଁ ଅଳ୍ପ ପରିମାଣର ଗୋଲମରିଚ ଏବଂ ଲୁଣ ମିଶାଇ ଗୁଣ୍ଡ କରନ୍ତୁ। ସେଥିରେ କିଛି ବୁନ୍ଦା ପାଣି ମିଶାଇ ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ। ଏହି ପେଷ୍ଟକୁ ଯନ୍ତ୍ରଣାଦାୟକ ଦାନ୍ତରେ ଲଗାନ୍ତୁ ଏବଂ ଏହାକୁ କିଛି ସମୟ ପାଇଁ ଛାଡିଦିଅନ୍ତୁ। ଏହା ଦାନ୍ତର ଯନ୍ତ୍ରଣାକୁ ଶୀଘ୍ର ଭଲ କରିବାରେ ସାହାଯ୍ୟ କରିଥାଏ।

– ବେକିଂ ସୋଡାରେ ଆଣ୍ଟିବ୍ୟାକ୍ଟେରିଆଲ୍, ଆଣ୍ଟିଫଙ୍ଗାଲ୍ ଏବଂ ଆଣ୍ଟିସେପ୍ଟିକ୍ ଗୁଣ ମଧ୍ୟ ଅଛି। ଉଷୁମ ପାଣିରେ ବେକିଂ ସୋଡା ପକାନ୍ତୁ ଏବଂ ଏହାକୁ ପାଟିରେ ରଖି କୁଳି କରନ୍ତୁ। ଏହା ଦାନ୍ତ ଯନ୍ତ୍ରଣାକୁ କମ କରିଥାଏ। ଏହା ବ୍ୟତୀତ, ଆପଣ ଓଦା ତୁଲରେ ଟିକେ ବେକିଂ ସୋଡା ଲଗାଇ ଦାନ୍ତ ଘା’ରେ ଲଗାଇ ପାରିବେ।

– ପିଜୁଳି ପତ୍ର ମଧ୍ୟ ବହୁତ ଲାଭଦାୟକ ହୋଇଥାଏ। ଏଥିରେ ଆଣ୍ଟି-ବ୍ୟାକ୍ଟେରିଆଲ୍ ଗୁଣ ରହିଥାଏ।ଦାନ୍ତରେ ପିଜୁଳିର ଗଜାପତ୍ର ଚୋବାଇଲେ ଦାନ୍ତ ଯନ୍ତ୍ରଣାରୁ ମୁକ୍ତି ମିଳିଥାଏ। ଏହି ପତ୍ରକୁ ପାଣିରେ ଫୁଟାଇ ଥଣ୍ଡା କରନ୍ତୁ ଏବଂ ଏଥିରେ ଅଳ୍ପ ଲୁଣ ମିଶାନ୍ତୁ ଏବଂ ସେହି ପାଣିରେ ଦିନରେ ଦୁଇରୁ ତିନି ଥର କୁଳି କରନ୍ତୁ । ଏହି ପଦ୍ଧତି ଶୀଘ୍ର ଦାନ୍ତ ବିନ୍ଧାରୁ ଆରାମ ଦେଇଥାଏ।

– ସେହିଭଳି ଫିଟିକିରି ମଧ୍ୟ ଦାନ୍ତ ପିଡାରୁ ମୁକ୍ତି ଦେଇଥାଏ। ଖଣ୍ଡେ ଫିଟିକିରିକୁ ନଖ ଉଷୁମ ପାଣିରେ ପକାଇ ୩/୪ ମିନିଟ୍ ରଖି ବାହାର କରି ଦିଅନ୍ତୁ। ସେହି ପାଣିରେ କୁଳି କଲେ ଦାନ୍ତ ବିନ୍ଧାରୁ ଉପଶମ ମିଳିବ।