ଦରବୃଦ୍ଧି ପ୍ରତିବାଦରେ ଜାନୁଆରୀ ୬ରେ ବିଜେଡିର ଗଣବିକ୍ଷୋଭ
ଭୁବନେଶ୍ୱର, : ଅତ୍ୟାବଶକୀୟ ଜିନିଷର ଅହେତୁକ ଦରବୃଦ୍ଧି ଜନସାଧାରଣଙ୍କୁ ଅତିଷ୍ଠ କଲାଣି ଓ ରାଜ୍ୟ ସରକାର ଦରଦାମ ନିୟନ୍ତ୍ରଣ କରିବାରେ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି ବୋଲି କହି ବିଜେଡି ଆଜି ବିଜେପି ସରକାର ଉପରେ ବର୍ଷିଛି। ଶଙ୍ଖ ଭବନ ଠାରେ ଆୟୋଜିତ ଏକ ସାମ୍ୱାଦିକ ସମ୍ମିଳନୀରେ ଦଳର ସମନ୍ୱୟ କମିଟିର ଅଧ୍ୟକ୍ଷ ଶ୍ରୀ ଦେବୀ ପ୍ରସାଦ ମିଶ୍ର, ଦଳର କାର୍ଯ୍ୟକ୍ରମ ରୂପାୟନ କମିଟିର ଆବାହକ ଶ୍ରୀ ସଞ୍ଜୟ ଦାସବର୍ମା, ଦଳର ବରିଷ୍ଠ ମିଡ଼ିଆ ସଂଯୋଜକ ଶ୍ରୀ ପ୍ରତାପ ଜେନା ଓ ଦଳର ମୁଖ୍ୟ ସଚେତକ ଶ୍ରୀମତୀ ପ୍ରମିଳା ମଲ୍ଲିକ ଓ ଦଳର ଯୁବ ସଭାପତି ଶ୍ରୀ ବ୍ୟୋମକେଶ ରାୟ ଏହି ଅହେତୁକ ଦରବୃଦ୍ଧି ବିରୋଧରେ ଆସନ୍ତା ଜାନୁଆରୀ ୬, ୨୦୨୫ ତାରିଖ ଦିନ ଲୋକସେବା ଭବନ ସମ୍ମୁଖରେ ଏକ ଗଣବିକ୍ଷୋଭ କରାଯିବ ବୋଲି ସୂଚନା ଦେଇଥିଲେ।
ଶ୍ରୀ ଦେବୀ ପ୍ରସାଦ ମିଶ୍ର କହିଥିଲେ, ଡବଲ ଇଞ୍ଜିନ ଡବଲ ବିକାଶର ନାରା ଦେଇ ଉଭୟ କେନ୍ଦ୍ର ଓ ରାଜ୍ୟରେ ଆସିଥିବା ବିଜେପି ସରକାର ଦରଦାମ ନିୟନ୍ତ୍ରଣ ଓ ଅର୍ଥନୀତିର ସୁପରିଚାଳନା କ୍ଷେତ୍ରରେ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି। ମୁଦ୍ରାସ୍ପୀତି ବୃଦ୍ଧିରେ ନୂଆ ରେକର୍ଡ ସୃଷ୍ଟି ହୋଇଛି। ଆନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ନିୟମିତ ଭାବେ କମି ଚାଲିଥିବା ବେଳେ ଦେଶରେ ପେଟ୍ରୋଲ ଓ ଡିଜେଲ ଦର କମିବା ପରିବର୍ତ୍ତେ ବଢ଼ି ଚାଲିଛି। ମୁଦ୍ରାସ୍ପୀତି ବୃଦ୍ଧିର କିଛି ତଥ୍ୟ ଦେଇ ଶ୍ରୀ ମିଶ୍ର କହିଥିଲେ, ଖୁଚୁରା ମୁଦ୍ରାସ୍ପୀତି ନଭେମ୍ୱର ମାସରେ ୫.୪୮ ପ୍ରତିଶତକୁ ଛୁଇଁଛି, ଯାହା ଗତ ୯ ମାସରେ ସବୁଠାରୁ ଅଧିକ।
ସେହିପରି, ଖାଦ୍ୟ ସାମଗ୍ରୀ ଗୁଡିକର ମୁଦ୍ରାସ୍ପୀତି ନଭେମ୍ୱର ମାସରେ ୯.୪ ପ୍ରତିଶତ ରହିଛି, ଯାହା ମଧ୍ୟ ସର୍ବାଧିକ। ପନିପରିବା ଦର ଗତ ଅଗଷ୍ଟ ମାସରେ ୩୫.୯୯ ପ୍ରତିଶତ ବୃଦ୍ଧି ପାଇଥିଲା। ସେହିପରି ଗ୍ରାମାଞ୍ଚଳରେ ମୁଦ୍ରାସ୍ପୀତି ମଧ୍ୟ ୬.୬୮ ପ୍ରତିଶତକୁ ଛୁଇଁଛି । ମୁଦ୍ରାସ୍ପୀତିକୁ ନିୟନ୍ତ୍ରଣରେ ରଖିବା କ୍ଷେତ୍ରରେ ଉଭୟ କେନ୍ଦ୍ର ସରକାର ଓ ଓଡିଶା ସମେତ ବିଜେପି ଶାସିତ ରାଜ୍ୟ ସରକାର ମାନେ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି। ଦରଦାମ ବୃଦ୍ଧି ଯୋଗୁଁ ଜନସାଧାରଣ ହନ୍ତସନ୍ତ ହେଉଥିବା ବେଳେ ସରକାରଙ୍କ ତରଫରୁ ଏହାକୁ ରୋକିବା ପାଇଁ କୌଣସି ଆନ୍ତରିକତା ଦେଖିବାକୁ ମିଳୁନାହିଁ। ଏଣୁ ଏହି ଅହେତୁକ ଦରବୃଦ୍ଧିକୁ ବିରୋଧ କରି ଆସନ୍ତା ଜାନୁଆରୀ ୬, ୨୦୨୫ ତାରିଖ ଦିନ ସଚିବାଳୟ ସମ୍ମୁଖରେ ଏକ ଗଣବିକ୍ଷୋଭ ଅନୁଷ୍ଠିତ ହେବ ବୋଲି ଶ୍ରୀ ମିଶ୍ର ଘୋଷଣା କରିଥିଲେ।