ଠିକଣା ସମୟରେ ଜମ୍ମୁ-କଶ୍ମୀରକୁ ପୁଣି ରାଜ୍ୟ ପାହ୍ୟା ମିଳିବ: ଶାହ

Amit shah

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): କେନ୍ଦ୍ର ସରକାର ୨୦୧୯ ଅଗଷ୍ଟ ୫ରେ ଏକ ଅଧ୍ୟାଦେଶ ବଳରେ ତତ୍କାଳୀନ ଜମ୍ମୁ-କଶ୍ମୀରରୁ ଧାରା ୩୭୦ ପ୍ରତ୍ୟାହାର କରିବା ସହ ଏହାକୁ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳ (ଜମ୍ମୁ-କଶ୍ମୀର ଓ ଲଦାଖ)ରେ ବିଭକ୍ତ କରିଥିଲେ। ଫଳରେ ସେହିଦିନଠାରୁ ଭାରତୀୟ ସମ୍ବିଧାନ ପକ୍ଷରୁ ଜମ୍ମୁ-କଶ୍ମୀରକୁ ମିଳୁଥିବା ସବୁ ସ୍ୱତନ୍ତ୍ର ସୁବିଧା ବନ୍ଦ ହୋଇଯାଇଥିଲା। ବିଭାଜନ ପରେ କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ସେତେବେଳେ ଜମ୍ମୁ-କଶ୍ମୀରକୁ ପୁଣି ଥରେ ରାଜ୍ୟ ପାହ୍ୟା ପ୍ରଦାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ତେବେ ଏହି ପ୍ରତିଶ୍ରୁତି କେବେ ପାଳନ ହେବ ବୋଲି ଶନିବାର ଲୋକସଭାରେ କଂଗ୍ରେସ ସାଂସଦ ଅଧିପ ରଞ୍ଜନ ଚୌଧୁରୀ ଶାହଙ୍କୁ ପ୍ରଶ୍ନ କରିଥିଲେ। ଜବାବରେ ଶାହ କହିଛନ୍ତି ଯେ ଠିକଣା ସମୟରେ ଜମ୍ମୁ-କଶ୍ମୀର ପୁଣି ରାଜ୍ୟ ପାହ୍ୟା ଫେରିପାଇବ। ଏଥିସହିତ ଶାହ କଂଗ୍ରେସକୁ ଏହି ପ୍ରସଙ୍ଗରେ ଟାର୍ଗେଟ କରିଛନ୍ତି। ବିଗତ ସାତ ଦଶନ୍ଧି ମଧ୍ୟରେ କଂଗ୍ରେସ କଶ୍ମୀର ଘାଟି ପାଇଁ କ’ଣ କରିଛି ବୋଲି ସେ ଚୌଧୁରୀଙ୍କୁ ପାଲଟା ପ୍ରଶ୍ନ କରିଥିଲେ। ଜମ୍ମୁ-କଶ୍ମୀର ବିଭାଜନକୁ କଂଗ୍ରେସ ତୀବ୍ର ବିରୋଧ କରିଆସୁଛି।
ବିଗତ ୧୭ ମାସ ମଧ୍ୟରେ କେନ୍ଦ୍ର ସରକାର ଏହି ଅଞ୍ଚଳର ବିକାଶ ପାଇଁ କ’ଣ କରିଛନ୍ତି ବୋଲି କଂଗ୍ରେସ ପକ୍ଷରୁ ସଂସଦରେ ବାରମ୍ବାର ପ୍ରଶ୍ନ ଉତ୍ଥାପନ କରାଯାଉଛି। ଏଥିରେ ଶାହ ପ୍ରତିକ୍ରିୟାଶୀଳ ହେବାସହିତ କଂଗ୍ରେସକୁ ପାଲଟା ଟାର୍ଗେଟ କରିବାରେ କୁଣ୍ଠାବୋଧ କରିନାହାନ୍ତି। ଯଦି ୭୦ ବର୍ଷର ଶାସନକାଳରେ କଂଗ୍ରେସ ଜମ୍ମୁ-କଶ୍ମୀରର ବିକାଶ ଦିଗରେ ଆଖିଦୃଶିଆ କାର୍ଯ୍ୟ କରିପାରିନାହିଁ, ତାହାହେଲେ ବିଜେପିକୁ ୧୭ ମାସର ରିପୋର୍ଟ ମାଗିବାକୁ କଂଗ୍ରେସର ନୈତିକ ସାହସ ନାହିଁ ବୋଲି ଶାହ କହିଛନ୍ତି। ଶନିବାର ଲୋକସଭାରେ ଜମ୍ମୁ-କଶ୍ମୀର ପୁନର୍ଗଠନ ସଂଶୋଧନ ବିଲ୍ ଉପରେ ଆଲୋଚନା ଚାଲିଥିବାବେଳେ କଂଗ୍ରେସ ପକ୍ଷରୁ ଏହି ପ୍ରସଙ୍ଗ ଉତଥାପନ କରାଯାଇଥିଲା। ୧୭ ମାସର ହିସାବ ଦେବାକୁ ସେ ପ୍ରସ୍ତୁତ ଅଛନ୍ତି, ତେବେ ଯେଉଁମାନେ ଦଶନ୍ଧି ଦଶନ୍ଧି ଧରି ସେଠାରେ ଶାସନ ଚଳାଇଥିଲେ, ସେମାନେ ବିଜେପିକୁ ଜବାବ ମାଗିବାକୁ ଯୋଗ୍ୟ ମଣୁଛନ୍ତି କି ବୋଲି ଶାହ ପ୍ରଶ୍ନ କରିଛନ୍ତି।

Leave a comment