ଜମି ବିବାଦରୁ ବିଲଡରଙ୍କୁ ହତ୍ୟା, ହୋମଗାର୍ଡ ସହ ୩ ଗିରଫ

ଭୁବନେଶ୍ୱର : ଜମିଜମା ବିବାଦକୁ ନେଇ ରାଜଧାନୀ ଉପକଣ୍ଠ ଏୟାରଫିଲ୍ଡ ଥାନା ଜାମୁକୋଳି ଅଞ୍ଚଳରେ ଜଣେ ବିଲଡରଙ୍କୁ ହତ୍ୟା କରାଯାଇଛି । ଦୁର୍ବୃତ୍ତଙ୍କ ଆକ୍ରମଣରେ ବିଲଡର ୟୁନିଟ-୬ ଭୀମପୁର ଅଞ୍ଚଳର ସସ୍ମିତ ବିଶ୍ୱାଳ (୪୭)ଙ୍କର ମୃତ୍ୟୁ ଘଟିଥିଲା । ଏହି ଘଟଣାରେ ପୋଲିସ ଜଣେ ହୋମଗାର୍ଡ ସହିତ ୩ଜଣଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ ହୋମଗାର୍ଡ ସୁକାନ୍ତ ବେହେରା, ଜମି ଦଲାଲ ସିଲୁ ଓରଫ ମନୋଜ ବେହେରା ଓ ଗୁଲୁ ମହାନ୍ତି । ଏମାନେ ସମସ୍ତେ ଜାମୁକୋଳି ପ୍ରଧାନସାହିର ଅଟନ୍ତି । ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ଟୁଲୁ ସମେତ ଏବେବି ୪ ଫେରାର ଅଛନ୍ତି ।
ସୂଚନା ଅନୁସାରେ, ମୃତ ସସ୍ମିତଙ୍କର ପ୍ରଧାନସାହି ଅଂଚଳରେ କିଛି ଜମି ରହିଛି । ଏଥିସହ ସେ ଜମି କିଣି ପ୍ଲଟିଂ କରି ବିକ୍ରି କରନ୍ତି । ତାଙ୍କ ସହ ପ୍ରଧାନସାହିର ଟୁଲୁ ମହାନ୍ତି ପାର୍ଟନରସିପ୍ରେ ଜମି ବ୍ୟବସାୟ କରନ୍ତି । ନିକଟରେ ଟୁଲୁଙ୍କ ସହାୟତାରେ ସସ୍ମିତ ପ୍ରଧାନସାହିରେ ଏକ ବଡ଼ ଜମି କିଣିଥିଲେ । ହେଲେ ଉକ୍ତ ଜମିକୁ ରାସ୍ତା ନଥିଲା । ସେହି ଜମିକୁ ରାସ୍ତା ଦେବା ପାଇଁ ସୁକାନ୍ତଙ୍କୁ କହିଥିଲେ । ଏଥିପାଇଁ ହୋମଗାର୍ଡ ଜଣଙ୍କ ୩୯ ଲକ୍ଷ ଟଙ୍କା ଦାବି କରିଥିଲେ । ସସ୍ମିତ ୩୯ ଲକ୍ଷ ଟଙ୍କା ଦେଇ ତାଙ୍କ ସହ ଏଗ୍ରିମେଂଟ କରିଥିଲେ ।
ସେପଟେ ସସ୍ମିତଙ୍କ ଜମିକୁ ଲାଗି ଅନ୍ୟଜଣେ ବିଲ୍ଡର ମଧ୍ୟ କିଛି ଜମି କିଣିଥିଲେ । ଟୁଲୁ ଓ ସୁକାନ୍ତ ମିଶି ତାଙ୍କ ଠାରୁ ମଧ୍ୟ ରାସ୍ତା ପାଇଁ ଟଙ୍କା ନେଇଥିଲେ । ରାସ୍ତା ଉନ୍ନତିକରଣ ପାଇଁ ସସ୍ମିତ ଯିବା ସମୟରେ ସୁକାନ୍ତ ଓ ଟୁଲୁ ତାଙ୍କୁ ହଇରାଣ ହରକତ କରୁଥିଲେ । ଏନେଇ ସସ୍ମିତ ଏୟାରଫିଲ୍ଡ ଥାନାରେ ଅଭିଯୋଗ କରିଥିଲେ । ପୋଲିସ ଘଟଣାର ତଦନ୍ତ ଚଳାଇଥିଲା । ତେବେ ଶୁକ୍ରବାର ପୂର୍ବାହ୍ନ ସାଢ଼େ ୧୦ଟାରେ ସସ୍ମିତ ଏକ ବାଇକରେ ପ୍ରଧାନସାହି ସ୍ଥିତ ତାଙ୍କ ଜମିକୁ ଯାଇଥିଲେ । ଜମି ରାସ୍ତା କାମ ପାଇଁ ଲୋକ ଲଗାଇବା ସମୟରେ ସୁକାନ୍ତ ଓ ଟୁଲୁ ତାଙ୍କୁ ବିରୋଧ କରିଥିଲେ । ସସ୍ମିତ ଥାନାକୁ ଫୋନ୍ କରିବାରୁ ପିସିଆର ପହଂଚି ତାଗିଦ କରିବା ସହ ଉଭୟପକ୍ଷଙ୍କୁ ଥାନାକୁ ଯାଇ ଅଭିଯୋଗ କରିବାକୁ କହି ପଳାଇ ଆସିଥିଲା ।
ଅପରାହ୍ନରେ କିଛି ପିଲା ପ୍ରଧାନସାହି କାଜୁ ଜଙ୍ଗଲ ନିକଟ ପଡ଼ିଆକୁ ଖେଳିବାକୁ ଯାଇଥିବା ବେଳେ ମୃତଦେହ ଦେଖି ଗାଁ ଲୋକଙ୍କୁ ଖବର ଦେଇଥିଲେ । ଲୋକେ ସସ୍ମିତଙ୍କୁ ଚିହ୍ନଟ କରିବା ସହ ଏୟାରଫିଲ୍ଡ ଥାନା ପୋଲିସକୁ ଖବର ଦେଇଥିଲେ । ପୋଲିସ ସାଇଂଟିଫିକ୍ ଟିମ୍ ସହ ପହଂଚି ମୃତଦେହ ଜବତ କରିଥିଲା । ସସ୍ମିତଙ୍କ ଭାଇ ଜିନୁ ଓରଫ ଦେବବ୍ରତ ମହାନ୍ତିଙ୍କ ଅଭିଯୋଗକ୍ରମେ ପୋଲିସ ହତ୍ୟା ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲେ । ଗତକାଲି ରାତିରେ ପୋଲିସ ୩ଜଣଙ୍କୁ ଗିରଫ କରିଥିଲା । ତେବେ ଫେରାର ଥିବା ଅନ୍ୟମାନଙ୍କୁ ଧରିବାକୁ ପୋଲିସ ଉଦ୍ୟମ ଚଳାଇଛି ।