ଜପମାଳାରେ ୧୦୮ ମାଳି ରହିବାର ତାତ୍ପର୍ଯ୍ୟ

ଆମ ପରମ୍ପରା ଆମ ସଂସ୍କୃତି ରେ ଭରିରହିଛି ବିଶ୍ୱାସ ଓ ଭରସାର ଶକ୍ତି । ଧାର୍ମିକ ମାନ୍ୟତା ଅନୁସାରେ ମନ୍ତ୍ର ଜପକୁ ଖୁବ ଉତ୍ତମ ବୋଲି ମନାଯାଏ । ଏହାଦ୍ୱାରା ବ୍ୟକ୍ତି ନିଜେ ଭଗବାନଙ୍କ ନିକଟତର ବୋଲି ଭାବିଥାନ୍ତି । ତେବେ ମନ୍ତ୍ର ଜପକୁ ନେଇ ମଧ୍ୟ ଆମ ଶାସ୍ତ୍ରରେ ଅନେକ ନିୟମ ରହିଛି । ସବୁ ମନ୍ତ୍ରକୁ ୧୦୮ ଥର ଜପ କରିବାର ନିୟମ ରହିଛି । ଏହା ସହିତ ଅନ୍ୟ ଏକ ନିୟମ ମଧ୍ୟ ରହିଛି । ଦେବାଦେବୀ ମାନଙ୍କର ପ୍ରସନ୍ନତା ପାଇଁ ମନ୍ତ୍ର ଉଚାରଣ କରି ମାଳା ଜପ କରାଯାଏ । କିନ୍ତୁ ୧୦୮ ମାଳା ସଂଖ୍ୟା ପଛରେ ଏକ ବଡ଼ କାରଣ ରହିଛି । ଯେଉଁଥିପାଇଁ ୧୦୮ଥର ମନ୍ତ୍ରଜପ କରିବାର ବିଧି ରହିଛି ।
ସନାତନ ଧର୍ମର ପ୍ରତ୍ୟେକ ଦେବଦେବୀଙ୍କ ଆରଧନା ପାଇଁ ସେମାନଙ୍କ କୃପା ପାଇବା ପାଇଁ ମନ୍ତ୍ର ତିଆରି ହୋଇଛି। ଏହି ମନ୍ତ୍ରକୁ ଜପ କରିବା ପାଇଁ ଜପମାଳାର ବ୍ୟବହାର ମଧ୍ୟ କରାଯାଏ। ବିଭିନ୍ନ ଦେବଦେବୀଙ୍କ ପାଇଁ ଜପମାଳା ମଧ୍ୟ ଭିନ୍ନ ଭିନ୍ନ ରହିଛି। କିନ୍ତୁ ସବୁ ମାଳାରେ ମାଳି ସଂଖ୍ୟା ୧୦୮ ରହିଥାଏ। ଦେବତାଙ୍କୁ ପ୍ରସନ୍ନ କରିବା ପାଇଁ ଭିନ୍ନ ଭିନ୍ନ ମାଳାର ବ୍ୟବହାର କରାଯାଏ। ଯେମିତିକି ସ୍ପଟିକ, ରୁଦ୍ରାକ୍ଷ, ତୁଳସୀ, ବ୍ରେଜୟନ୍ତୀ, ମୋତି କିମ୍ବା ରତ୍ନ ମାଳା। ମାଳାରେ ୧୦୮ ମାଳି ଥିବା ସହ ଅନ୍ୟ ଏକ ମାଳି ଥାଏ ଯାହାକୁ ସୁମେରୁ ପର୍ବତ କୁହାଯାଏ। ଏହାକୁ ଜପରେ ସାମିଲ କରାଯାଇନଥାଏ।
ତେବେ ମାଳାରେ ଥିବା ୧୦୮ ମାଳିକୁନେଇ ଭିନ୍ନ ଭିନ୍ନ ମାନ୍ୟତା ରହିଛି। ମାନ୍ୟତା ଅନୁଯାୟୀ ନକ୍ଷ୍ୟତ୍ର ସଂଖ୍ୟା ହେଉଛି ୨୭ ଏବଂ ପ୍ରତିଟି ନକ୍ଷ୍ୟତ୍ରରେ ୪ଟି ଚରଣ ରହିଛି। ଏହିକ୍ରମେ ଆପଣ ୨୭କୁ ୪ସହ ଗୁଣନ କରିବା ଦ୍ୱାରା ମୋଟ ୧୦୮ ହୋଇଥାଏ। ତେଣୁ ଜପ ମାଳାରେ ୧୦୮ ମାଳି ରହିଥାଏ। ଏହାସହିତ ବ୍ରହ୍ମାଣ୍ଡକୁ ୧୨ଟି ଭାଗରେ ବିଭକ୍ତ କରାଯାଇଛି।
ଜ୍ୟୋତିଷ ଶାସ୍ତ୍ରରେ ରାଶି ମାନଙ୍କ ସଂଖ୍ୟା ହେଉଛି ୧୨। ଏମାନଙ୍କ ସ୍ୱାମୀ ଗ୍ରହ ମୁଖ୍ୟ ରୂପେ ୯। ଏମିତିରେ ଯଦି ଆପଣ ୧୨ ସହିତ ୯ ଗୁଣନ କରିବେ ତେବେ ଏହାର ସଂଖ୍ୟା ୧୦୮ ଆସିବ । ଶେଷରେ ଧର୍ମ ଶାସ୍ତ୍ର ଅନୁଯାୟୀ ପ୍ରତ୍ୟେକ ବ୍ୟକ୍ତିକୁ ଦିନକୁ ଅତିକମରେ ୧୦୮୦୦ ଥର ଇଶ୍ୱରଙ୍କ ସ୍ମରଣ କରିବା ଉଚିତ। କିନ୍ତୁ ଏହା କରିବା ସମସ୍ତଙ୍କ ପକ୍ଷେ ସମ୍ଭବ ନୁହେଁ। ତେଣୁ ଏହି ସ୍ଥଳରେ ୧୦୮ଥର ମଧ୍ୟ ଆପଣ ଭଗବାନଙ୍କୁ ସ୍ମରଣ କରିପାରିବେ। ବିଶ୍ୱାସ ରହିଛି ଯେ ସ୍ୱଚ୍ଛ ମନରେ ୧୦୮ ଥର ଜପ କଲେ ଏହା ୧୦୮୦୦ ଜପ ସହ ସମାନ ହୋଇଥାଏ।