ଚଳିତ ବର୍ଷ ନକ୍ସଲ ମୁକାବିଲାରେ ବିଏସଏଫର ସଫଳତା
ଭୁବନେଶ୍ୱର: ଓଡ଼ିଶାର ନକ୍ସଲ ପ୍ରବଣ ଅଞ୍ଚଳରେ ସୀମା ସୁରକ୍ଷା ବଳ (ବିଏସଏଫ) ଧନଜୀବନ ସୁରକ୍ଷା ପାଇଁ ସମର୍ପିତ ହୋଇ କାର୍ଯ୍ୟ କରୁଛି । ବିଏସଏଫର ସଫଳତାକୁ ନେଇ ଆଜି ମହାନିରୀକ୍ଷକ ସିଡି ଅଗ୍ରୱାଲ ଏକ ସମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ସେ କହିଛନ୍ତି, ବିଏସଏଫ ଚଳିତ ବର୍ଷ ୩ଜଣ କୁଖ୍ୟାତ ନକ୍ସଲଙ୍କୁ ନିପାତ କରିଛି।
ସେହିପରି ୨୪ ଜଣ ହାର୍ଡକୋର ନକ୍ସଲଙ୍କୁ ଆତ୍ମସମର୍ପଣ କରିବା ପାଇଁ ବାଧ୍ୟ କରିଛି । ବିଏସଏଫର ସର୍ଚ୍ଚ ଅପରେସନରେ ୩୪ଟି ଆଇଡିଡି, ୧୧୭ଟି ଗ୍ରେନେଡ୍ ଏବଂ ବହୁ ପରିମାଣରେ ଅସ୍ତ୍ରଶସ୍ତ୍ର ଓ ଗୋଳାବାରୁଦ ଜବତ କରାଯାଇଛି । ବିଏସଏଫର ସହଯୋଗରେ ମାଲକାନଗିରି ଜିଲ୍ଲାର ବିଚ୍ଛିନ୍ନାଞ୍ଚଳ ଏବେ ରାଜ୍ୟର ମୁଖ୍ୟଧାରା ସହ ଯୋଡ଼ି ହୋଇଛି । ଗୁରୁପ୍ରିୟା ସେତୁ ଦ୍ୱାରା ୧୫୧ଟି ଗାଁର ୩୧ ହଜାର ବାସିନ୍ଦା ଉପକୃତ ହୋଇଛନ୍ତି । କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ଆହ୍ୱାନକ୍ରମେ ୨୦୨୬ ସୁଦ୍ଧା ଓଡ଼ିଶାରୁ ନକ୍ସଲବାଦର ବିଲୋପ ପାଇଁ ବିଏସଏଫ ସଂକଳ୍ପବଦ୍ଧ ବୋଲି ଆଇଜି ଶ୍ରୀ ଅଗ୍ରୱାଲ କହିଛନ୍ତି ।