ଖରିଫ ଫସଲ -୨୦୨୨: ଚାଷୀଙ୍କୁ ମିଳିବ ୯ ହଜାର କୋଟି ଋଣ

ଭଦ୍ରକ(ଓଡ଼ିଶା ଫାଷ୍ଟ ବ୍ୟୁରୋ): ସରକାରଙ୍କ ଖରିଫ ଫସଲ ଅଭିଯାନ-୨୦୨୨ ଆରମ୍ଭ ହୋଇଛି। ଏହି ଅଭିଯାନରେ ରାଜ୍ୟ ସରକାର ସମବାୟ ସମିତି ଜରିଆରେ ଚାଷୀଙ୍କୁ ୯ହଜାର କୋଟି ଟଙ୍କାର ଋଣ ପ୍ରଦାନ କରିବେ।
୨୦୨୧ରେ ସମବାୟ ସମିତି ଜରିଆରେ ରାଜ୍ୟର ୧୮ଲକ୍ଷ ୬୧ହଜାର ୨୦୬ଜଣ ଚାଷୀଙ୍କୁ ୮୬୮୬ କୋଟି ୪୦ ଲକ୍ଷ ଟଙ୍କାର ଋଣ ପ୍ରଦାନ କରିଥିଲେ। ଏହା ସର୍ବକାଳୀନ ରେକର୍ଡ ଥିଲା ବୋଲି କୁହାଯାଉଛି। ପୁଣି ୨୦୨୧-୨୨ ରବି ଋତୁରେ ମଧ୍ୟ ୭୩୬୨ କୋଟି ଟଙ୍କାର ଋଣ ମଞ୍ଜୁର ହୋଇଛି, ଯାହା ମଧ୍ୟ ସର୍ବକାଳୀନ ରେକର୍ଡ ବୋଲି କୁହାଯାଇଛି।
ରାଜ୍ୟର ୩୦ଟି ଜିଲା ପାଇଁ ମୋଟ ୧୭ଟି ଜିଲା କେନ୍ଦ୍ରୀୟ ସମବାୟ ବ୍ୟାଙ୍କ (ଡିସିସିବି) କାର୍ଯ୍ୟ କରୁଛି। ସମବାୟ ବ୍ୟାଙ୍କ ଅଧୀନରେ ସମବାୟ ସମିତି (ପାକ୍ସ) କାର୍ଯ୍ୟ କରୁଛି। ୨୦୨୨ ଖରିଫର ୯ହଜାର କୋଟି ଟଙ୍କାର ଋଣ ପ୍ରଦାନ ଧାର୍ଯ୍ୟ ଲକ୍ଷ୍ୟକୁ ସରକାର ଇତିମଧ୍ୟରେ ବ୍ୟାଙ୍କ ୱାରୀ/ ଜିଲା ୱାରୀ ବଣ୍ଟନ କରିଛନ୍ତି। ଅନୁଗୁଳ ଜିଲା ପାଇଁ ୩୦୫ କୋଟି, ଢେଙ୍କାନାଳ ପାଇଁ ୨୧୫ କୋଟି, ଗଞ୍ଜାମ ପାଇଁ ୪୮୫ କୋଟି, ଗଜପତି ପାଇଁ ୪୫କୋଟି, ବାଲେଶ୍ୱର ପାଇଁ ୪୮୦ କୋଟି, ଭଦ୍ରକ ପାଇଁ ୪୨୦ କୋଟି, କଳାହାଣ୍ଡି ପାଇଁ ୨୦୦ କୋଟି, ନୂଆପଡ଼ା ପାଇଁ ୭୫ କୋଟି, ବଲାଙ୍ଗୀର ପାଇଁ ୪୪୦ କୋଟି, ସୁବର୍ଣ୍ଣପୁର ପାଇଁ ୧୯୦ କୋଟି, ବୌଦ୍ଧ ପାଇଁ ୧୬୫ କୋଟି, କନ୍ଧମାଳ ପାଇଁ ୮୫ କୋଟି, କଟକ ପାଇଁ ୫୧୦ କୋଟି, ଜଗତସିଂହପୁର ପାଇଁ ୨୪୦ କୋଟି, କେନ୍ଦ୍ରାପଡ଼ା ପାଇଁ ୬୩୦ କୋଟି, ଯାଜପୁର ପାଇଁ ୫୦୦ କୋଟି, କେନ୍ଦୁଝର ପାଇଁ ୨୬୦ କୋଟି, ଖୋର୍ଦ୍ଧା ପାଇଁ ୪୪୦ କୋଟି, କୋରାପୁଟ ପାଇଁ ୧୯୦ କୋଟି, ମାଲକାନଗିରି ପାଇଁ ୭୦ କୋଟି, ନବରଙ୍ଗପୁର ପାଇଁ ୧୪୫ କୋଟି, ରାୟଗଡ଼ା ପାଇଁ ୯୫ କୋଟି, ମୟୂରଭଞ୍ଜ ପାଇଁ ୩୦୫ କୋଟି, ବରଗଡ଼ ପାଇଁ ୮୪୦ କୋଟି, ସମ୍ବଲପୁର ପାଇଁ ୩୨୦ କୋଟି, ଝାରସୁଗୁଡା ପାଇଁ ୧୩୦ କୋଟି, ଦେବଗଡ଼ ପାଇଁ ୧୧୦ କୋଟି, ସୁନ୍ଦରଗଡ଼ ପାଇଁ ୬୪୦ କୋଟି ଓ ପୁରୀ ପାଇଁ ୨୦୦ କୋଟି ଟଙ୍କାର କୃଷି ଋଣ ପ୍ରଦାନର ଧାର୍ଯ୍ୟ ଲକ୍ଷ୍ୟ ରଖାଯାଇଛି।