କ୍ଷୀରକୁ ଦହି କରୁଛି ଏହି ପଥର

0

ଭାରତରେ ଆଶ୍ଚର୍ଯ୍ୟର ଅଭାବ ନାହିଁ। ଏଠି କାଠ ପଥର ସବୁଥିରେ ରହସ୍ୟ ଲୁଚି ରହିଛି କହିଲେ ଚାଲେ। ତେବେ ଆଜି ଆମେ ଆପଣଙ୍କୁ ରାଜସ୍ଥାନର ଏପରି ଗୋଟିଏ ଗାଁ ବିଷୟରେ କହିବାକୁ ଯାଉଛୁ ଯେଉଁଠାରେ ଏକ ପ୍ରକାର ନିଆରା ପଥର ମିଳିଥାଏ ଏବଂ ଏହି ପଥର କ୍ଷୀରରୁ ଦହିରେ ପରିଣତ କରିଥାଏ । ଜୟସଲମ ଠାରୁ ପ୍ରାୟ ୫୦ କିଲୋମିଟର ଦୂରରେ ଅବସ୍ଥିତ ହାବୁରଗାଓଁରେ ଏଭଳି ନିଆରା ପଥର ଦେଖିବାକୁ ମିଳେ। ଯାହା ଅତ୍ୟନ୍ତ ଚମତ୍କାର। ଏହି ପଥର କ୍ଷୀରକୁ ଫ୍ରିଜ୍ କରି ଦହିରେ ପରିଣତ କରିଥାଏ। ସାଧାରଣତଃ ଆମେ କ୍ଷୀରରୁ ଦହି ତିଆରି କରିବା ପାଇଁ ଛାଞ୍ଚ ବା ଅନ୍ୟ କିଛି ଖଟା ଜିନିଷ ବ୍ୟବହାର କରୁ। କିନ୍ତୁ ରାଜସ୍ଥାନର ଏହି ଗାଁର କାହାଣୀ ଟିକିଏ ଅଲଗା। କ୍ଷୀରରୁ ଦହି ତିଆରି କରିବା ପାଇଁ ଏଠାରେ ଲୋକମାନେ ଶହ ଶହ ବର୍ଷ ଧରି ଏହି ଚମତ୍କାର ପଥର ବ୍ୟବହାର କରି ଆସୁଛନ୍ତି।

ଯଦିଓ ଏହି ଗାଁର ନାମ ହାବୁର କିନ୍ତୁ ବର୍ତ୍ତମାନ ଏହାକୁ ପୁଣାମନଗର କୁହାଯାଉଛି। ଏହି ଗାଁର ପଥର ଭିତରେ ଅନେକ ଗୁଣ ଅଛି ବୋଲି କୁହାଯାଏ। ସେହି ପଥରକୁ ସ୍ଥାନୀୟ ଭାଷାରେ ‘ହାବୁରିଆ ଭାଟା’ ମଧ୍ୟ କୁହାଯାଏ। ଗାଁରେ ମିଳୁଥିବା ପଥର ସଂସ୍ପର୍ଶରେ ଆସିବା ମାତ୍ରେ କ୍ଷୀର ବସି ଦହି ହୋଇଯାଏ। ଏହାର ବିଶେଷ ଗୁଣ ହେତୁ ଏହି ପଥର ଦେଶ ତଥା ବିଦେଶରେ ବହୁତ ଲୋକପ୍ରିୟ। ଏଠାକୁ ଆସୁଥିବା ପର୍ଯ୍ୟଟକମାନେ ମଧ୍ୟ ହାବୁର ପଥରରେ ନିର୍ମିତ ବାସନକୁ ନେଇଥାନ୍ତି। ଏହି ପଥରରେ ନିର୍ମିତ ବାସନଗୁଡ଼ିକର ଚାହିଦା ବେଶ ରହିଥାଏ।

ଅନୁସନ୍ଧାନରୁ ଜଣାପଡିଛି ଯେ ଦହି ବସିବା ପାଇଁ ଆବଶ୍ୟକ ସମସ୍ତ ରାସାୟନିକ ପଦାର୍ଥ ଏହି ପଥରରେ ରହିଛି। ଯାହା କ୍ଷୀରକୁ ଦହିରେ ପରିଣତ କରେ। ପଥରରେ ଆମିନୋ ଏସିଡ୍, ଫେନିଲାଲାନାଇନ୍, ରିଫାଫେନ୍ ଟାଇରୋସିନ୍ ରହିଛି। ଏହି ସମସ୍ତ ରାସାୟନିକ ପଦାର୍ଥ କ୍ଷୀରକୁ ଦହି କରିବାରେ ସହାୟକ ହୋଇଥାଏ। କେବଳ ଏତିକି ନୁହେଁ, ଏହି ପଥରରୁ ବସିଥିବା ଦହି ମିଠା ଏବଂ ସୁଗନ୍ଧିତ। ହାବୁର ଗାଁର ମାଟିତଳୁ ଏହି ପଥର ବାହାରିଥାଏ ଏବଂ ଏଥିରେ ଖଣିଜ ପଦାର୍ଥ ଓ ଅନ୍ୟାନ୍ୟ ଜୀବାଶ୍ମ ପରିପୂର୍ଣ୍ଣ ହୋଇ ରହିଛି।

ଏହି ଗାଁରେ ମିଳୁଥିବା ପଥରରୁ ଗ୍ରାମବାସୀ ବାସନ, ମୂର୍ତ୍ତି ଏବଂ ଖେଳନା ତିଆରି କରି ବିକ୍ରୀ କରିଥାନ୍ତି। ଯାହାକି ଦେଖିବାକୁ ହାଲୁକା ସୁନେଲି ରଙ୍ଗର ଏବଂ ଚକଚକିଆ। ଏଥିରୁ ନିର୍ମିତ ପ୍ରତିମା ଅନେକ ଲୋକଙ୍କୁ ଆକର୍ଷିତ କରିଥାଏ। ଗ୍ରାମବାସୀଙ୍କ ଅନୁଯାୟୀ ଏହି ପଥର ତାଜମହଲ ସମେତ ଅନେକ ସ୍ଥାନରେ ସ୍ଥାପିତ ହୋଇଛି।

Leave a comment