ଏହି ସ୍ଥାନରେ ଏବେବି ଅକ୍ଷତ ରହିଛି ପ୍ରଭୁ ପର୍ଶୁରାମଙ୍କ ଫାରସା ଓ ପାଦଚିହ୍ନ

0

ଆପଣ ନିଶ୍ଚିତ ପ୍ରଭୁ ପର୍ଶୁରାମଙ୍କ ପରାକ୍ରମ ଏବଂ ତାଙ୍କ ଫାରସା ବିଷୟରେ ଶୁଣିଥିବେ ବା ପଢିଥିବେ। ଗୋଟିଏ ଫାରସା ସାହାଯ୍ୟରେ ସମଗ୍ର ବିଶ୍ୱ ବିଜୟ କରିଥିଲେ ସେ। ପ୍ରଭୁ ଶିବଙ୍କ ଠାରୁ ପରାକ୍ରମୀ ଥିଲେ ପର୍ଶୁରାମ। କିନ୍ତୁ ଆପଣ ଜାଣନ୍ତି କି ସେହି ଫାରସା ପୃଥିବୀରେ ଏବେବି ରହିଛି। ଝାଡଖଣ୍ଡର ରାଜଧାନୀ ରାଞ୍ଚିଠାରୁ ପ୍ରାୟ ୧୫୦ କିଲୋମିଟର ଦୂର ଗୁମ୍ଲା ଜିଲ୍ଲାର ଏକ ପାହାଡରେ ଟାଙ୍ଗିନାଥ ଧାମ ରହିଛି। ଏହି ଧାମର ଏକ ମନ୍ଦିରରେ ଭଗବାନ ପର୍ଶୁରାମଙ୍କ ଫାରସା ରହିଛି ବୋଲି ଦାବି କରାଯାଉଛି। ଏହି ଫାରସା ଖୋଲା ଆକାଶ ତଳେ ରହିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ସେଥିରେ ଟିକିଏ ବି କଳଙ୍କି ଲାଗିନାହିଁ। ଏହା କୌଣସି ରହସ୍ୟଠାରୁ କମ୍ ନୁହେଁ, ହଜାର ହଜାର ବର୍ଷ ପରେ ମଧ୍ୟ ଖରାବର୍ଷା ଖାଇ ଫାରସା ସମ୍ପୂର୍ଣ୍ଣ ସୁରକ୍ଷିତ ରହିଛି। ବିଶ୍ୱାସ କରାଯାଏ ଯେ ଯିଏ ଏହି ଫାରସା ପ୍ରତି ଅସମ୍ମାନ କରିବାକୁ ଚେଷ୍ଟା କରେ, ତାଙ୍କୁ ଭୟଙ୍କର ଦଣ୍ଡ ମିଳିଥାଏ। କୁହାଯାଏ ଯେ ଥରେ ଲୋହାର ଜନଜାତିର କିଛି ଲୋକ ଫାରସାକୁ ଭୂମିରୁ ବାହାର କରିବାକୁ ଚେଷ୍ଟା କରିଥିଲେ, କିନ୍ତୁ ଫାରସା ଉପରକୁ ନଆସିବାରୁ ସେମାନେ ଏହାର ଉପର ଅଂଶକୁ କାଟି ଦେଇଥିଲେ। ତେବେ ସେ ମଧ୍ୟ ତାହାକୁ ନେବାରେ ବିଫଳ ହୋଇଥିଲେ। ସେହି ଘଟଣା ପରେ ନିକଟସ୍ଥ ଲୋହାର ଜନଜାତିର ଲୋକମାନେ କିଛି ନା କିଛି କାରଣ ପାଇଁ ଗୋଟିଏ ପରେ ଗୋଟିଏ ମରିବାକୁ ଲାଗିଥିଲେ ଏବଂ ପରେ ସେମାନେ ଏହି ଅଞ୍ଚଳ ଛାଡି ଦେଇଥିଲେ। ଆଜି ବି ଏହି ଜନଜାତିର ଲୋକମାନେ ଆଖପାଖ ଗାଁରେ ରହିବାକୁ ଭୟ କରନ୍ତି। ଭଗବାନ ପର୍ଶୁରାମ ଟାଙ୍ଗିନାଥ ଧାମକୁ ଆସିବା ଏବଂ ଫାରସା ନିଜେ ସେଠାରେ ପୋତିବା ପଛରେ ଏକ ରୋଚକ କାହାଣୀ ଅଛି। ବିଶ୍ୱାସ କରାଯାଏ ଯେ ତ୍ରେତୟାଯୁଗରେ ଜନକପୁରରେ ମାତା ସୀତାଙ୍କ ସ୍ଵୟମ୍ବର ସମୟରେ ଯେତେବେଳେ ଭଗବାନ ରାମ ଶିବଙ୍କ ଧନୁ ଭାଙ୍ଗିଥିଲେ, ସେତେବେଳେ ପର୍ଶୁରାମ ଏହାର ଭୟଙ୍କର ଶବ୍ଦ ଶୁଣି କ୍ରୋଧରେ ଜନକପୁରରେ ପହଞ୍ଚିଥିଲେ ଏବଂ ପ୍ରଭୁ ରାମ- ଲକ୍ଷ୍ମଣଙ୍କୁ ଚିହ୍ନି ନପାରି ଅନେକ କଟୁ କଥା କହିଥିଲେ। କିନ୍ତୁ ପରେ ଯେତେବେଳେ ସେ ଜାଣିବାକୁ ପାଇଲେ ଯେ ରାମ ଭଗବାନ ବିଷ୍ଣୁଙ୍କର ଅବତାର, ସେ ଅତ୍ୟନ୍ତ ଲଜ୍ଜିତ ହୋଇ ଘୋର ଜଙ୍ଗଲ ମଧ୍ୟରେ ଏକ ପର୍ବତକୁ ଯାଇ ପ୍ରାୟଶ୍ଚିତ କରିଥିଲେ। ସେଠାରେ ସେ ଫାରସା ପୋତି ଅନୁତାପ କରିବା ଆରମ୍ଭ କରିଥିଲେ। ଯେଉଁ ସ୍ଥାନ ଆଜି ଟାଙ୍ଗିନାଥ ଧାମ ନାମରେ ଜଣାଶୁଣା। କୁହାଯାଏ ଯେ ଫାରସା ବ୍ୟତୀତ ଭଗବାନ ପର୍ଶୁରାମଙ୍କ ପାଦଚିହ୍ନ ମଧ୍ୟ ସେଠାରେ ରହିଛି। ଟାଙ୍ଗିନାଥ ଧାମରେ ​​ଶହ ଶହ ଶିବଲିଙ୍ଗ ଏବଂ ପ୍ରାଚୀନ ମୂର୍ତ୍ତି ମଧ୍ୟ ଅଛି ଏବଂ ତାହା ମଧ୍ୟ ଖୋଲା ଆକାଶ ତଳେ । କୁହାଯାଏ ଯେ ୧୯୮୯ ମସିହାରେ ପ୍ରତ୍ନତତ୍ତ୍ୱ ବିଭାଗ ଏଠାରେ ଖନନ କରିଥିଲା, ଯେଉଁଥିରେ ହୀରା ଖଚିତ ମୁକୁଟ, ସୁନା ଓ ରୂପା ଅଳଙ୍କାର ସହିତ ବହୁ ମୂଲ୍ୟବାନ ଜିନିଷ ମିଳିଥିଲା। ତେବେ ପରେ ହଠାତ୍ ଖନନ ବନ୍ଦ ହୋଇଯାଇଥିଲା। ତେବେ ଏହା ପଛର କାରଣ କ’ଣ ଥିଲା, ତାହା ଆଜି ପର୍ଯ୍ୟନ୍ତ ରହସ୍ୟ ହୋଇ ରହିଛି।

Leave a comment