ଏହି ମନ୍ଦିରରେ ଦିନରେ ୩ ଥର ରୂପ ରଙ୍ଗ ବଦଳାଉଛି ଦେବୀଙ୍କ ମୂର୍ତ୍ତି

0

ଆମଦେଶରେ ରହିଥିବା ମନ୍ଦିରଡ଼ିକରେ ଏପରି କିଛି ରହସ୍ୟ ଲୁଚି ରହିଥାଏ, ଯାହାର ଆଦି ଅନ୍ତ ଯୁଗଯୁଗ ଧରି ମଧ୍ୟ କେହି ପାଇ ପାରି ନାହାନ୍ତି। କେଉଁଠି ମନ୍ଦିର କାନ୍ଥ ଶୂନ୍ୟରେ ରହିଛି ତ କେଉଁଠି ପାଣିରେ ଦୀପ ଜଳୁଛି। ତେବେ ଆଜି ଆମେ ଆପଣଙ୍କୁ ଏପରି ଏକ ବିଶେଷ ମନ୍ଦିର ବିଷୟରେ କହିବୁ ଯେଉଁଠି ପୂଜା ପାଉଥିବା ଦେବୀଙ୍କ ମୂର୍ତ୍ତି ଦିନରେ ବହୁଥର ରଙ୍ଗ ବଦଳାଇଥାନ୍ତି। ଏହା ହେଉଛି ଉତ୍ତରାଖଣ୍ଡରେ ଅବସ୍ଥିତ ଧାରା ଦେବୀ ମନ୍ଦିର। ଧାରା ଦେବୀ ମନ୍ଦିର ଉତ୍ତରାଖଣ୍ଡର ଶ୍ରୀନଗରଠାରୁ ପ୍ରାୟ ୧୪ କିଲୋମିଟର ଦୂରରେ ଅବସ୍ଥିତ। ପ୍ରତିଦିନ ଏହି ମନ୍ଦିରରେ କିଛି ନା କିଛି ଚମତ୍କାର ଘଟଣା ଘଟେ।
ମନ୍ଦିରରେ ଘଟୁଥିବା ଚମତ୍କାର ଦେଖି ଲୋକମାନେ ଆଶ୍ଚର୍ଯ୍ୟ ହୋଇଯାଆନ୍ତି। ବିଶ୍ୱାସ କରାଯାଏ ଯେ ଏହି ମନ୍ଦିରରେ ଉପସ୍ଥିତ ଥିବା ମା’ଙ୍କ ମୂର୍ତ୍ତି ଦିନକୁ ତିନିଥର ରଙ୍ଗ ବଦଳାଇଥାନ୍ତି। କେବଳ ସେତିକି ନୁହେଁ, ମା’ଙ୍କ ମୂର୍ତ୍ତି ମଧ୍ୟ ଦିନକୁ ୩ ଥର ରୂପ ବଦଳାଇଥାଏ। କୁହାଯାଏ ଯେ ସକାଳେ ମା’ଙ୍କ ମୂର୍ତ୍ତି ଝିଅ ପରି ଦେଖାଯାଏ। ମଧ୍ୟାହ୍ନରେ ଯୁବତୀଙ୍କ ରୂପରେ ପରିଣତ ହୋଇଥାଏ।
ଏହାସହ ସନ୍ଧ୍ୟାରେ ମନ୍ଦିରରେ ଥିବା ମା’ଙ୍କ ମୂର୍ତ୍ତି ଜଣେ ବୁଢ଼ୀ ମହିଳାଙ୍କ ରୂପରେ ଦର୍ଶନ ଦିଅନ୍ତି। ଆପଣ ଏହା ଶୁଣି ଆଶ୍ଚର୍ଯ୍ୟ ହେଉଥିବେ ନିଶ୍ଚୟ। ଏହା ବାସ୍ତବରେ ଆଶ୍ଚର୍ଯ୍ୟଜନକ କଥା। ଏହା ବ୍ୟତୀତ ପୁରାଣରେ କୁହାଯାଇଛି ଯେ ଥରେ ପ୍ରବଳ ବନ୍ୟାରେ ମାତାଙ୍କ ମନ୍ଦିର ଧୋଇ ହୋଇଯାଇଥିଲା। ମନ୍ଦିର ସହିତ ମା’ଙ୍କ ମୂର୍ତ୍ତି ମଧ୍ୟ ବନ୍ୟାରେ ଧୋଇ ଯାଇଥିଲା। ହେଲେ କୁହାଯାଏ ଯେ ଧରୋ ଗ୍ରାମ ନିକଟରେ ଗୋଟିଏ ପଥରରେ ମାଡ଼ ହେବା ପରେ ମା’ଙ୍କ ମୂର୍ତ୍ତି ସେଠି ଅଟକି ଯାଇଥିଲା।
ଯାହା ପରେ ପ୍ରତିମାରୁ ଏକ ଦୈବୀ ସ୍ୱର ସୁଭାଯାଇଥିଲା, ଯେଉଁଥିରେ ଗ୍ରାମବାସୀଙ୍କୁ ସେଠାରେ ପ୍ରତିମା ସ୍ଥାପନ ପାଇଁ ନିର୍ଦ୍ଦେଶ ରହିଥିଲା। ଏହି ନିର୍ଦ୍ଦେଶ ଶୁଣିବା ପରେ ଗ୍ରାମବାସୀ ସେଠାରେ ମା’ଙ୍କ ମନ୍ଦିର ନିର୍ମାଣ କରିଥିଲେ। ମନ୍ଦିରର ପୁରୋହିତଙ୍କ ଅନୁଯାୟୀ, ଦ୍ୱାପର ଯୁଗରୁ ଏହି ମନ୍ଦିରରେ ମାତା ଧାରାଙ୍କ ମୂର୍ତ୍ତି ପ୍ରତିଷ୍ଠା କରାଯାଇଛି। ୨୦୧୩ ମସିହାରେ ଧାରା ମା’ଙ୍କ ମନ୍ଦିର ଭାଙ୍ଗି ଦିଆଯାଇଥିଲା। ଏହି ସମୟରେ ତାଙ୍କର ମୂର୍ତ୍ତି ମଧ୍ୟ ମୂଳ ସ୍ଥାନରୁ ହଟାଯାଇଥିଲା। ତେବେ ଏହା ପରେ ହିଁ ଉତ୍ତରାଖଣ୍ଡରେ ଭୟଙ୍କର ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଏହି ବନ୍ୟାରେ ହଜାର ହଜାର ଲୋକ ପ୍ରାଣ ହରାଇଥିଲେ। ୧୬ ଜୁନ୍ ୨୦୧୩ ର ସନ୍ଧ୍ୟାରେ ଧାରା ଦେବୀଙ୍କ ପ୍ରତିମୂର୍ତ୍ତିକୁ ହଟାଇ ଦିଆଯାଇଥିଲା । କିଛି ଘଣ୍ଟା ପରେ ରାଜ୍ୟରେ ଭୟଙ୍କର ବିପର୍ଯ୍ୟୟ ଘଟିଥିଲା। କେହି କେହି କହିଥିଲେ ଦେବୀଙ୍କ ମୂର୍ତ୍ତି ହଟେଇବାରୁ ଏହି ବିପତି ଆସିଥିଲା। ତେବେ ପରେ ସେହି ସ୍ଥାନରେ ପୁନର୍ବାର ମନ୍ଦିର ନିର୍ମାଣ କରାଯାଇଥିଲା।

Leave a comment