ଏମିତି ଏକ ଦେଶ, ରାସ୍ତାରେ ଗାଡିରୁ ତେଲ ସରିଲେ ମିଳେ ଦଣ୍ଡ
ବିକଶିତ ଦେଶମାନଙ୍କ ମଧ୍ୟର ଜର୍ମାନୀ ଅନ୍ୟତମ। ଏଠାରେ ଏପରି ଅନେକ ଆଶ୍ଚର୍ଯ୍ୟକର ଜିନିଷ ରହିଛି ଯାହାକି ବିଶ୍ୱର ଲୋକଙ୍କୁ ଚକିତ କରିଥାଏ । ଇଞ୍ଜିନିୟରିଂ କ୍ଷେତ୍ରରେ ଜର୍ମାନୀ ବିଶ୍ୱରେ ପ୍ରଥମରେ ରହିଛି। ଆଜି ଆମେ ଆପଣଙ୍କୁ ଏହି ଦେଶ ସହ ଜଡ଼ିତ କେତେକ କୌତୁହଳପୂର୍ଣ୍ଣ ତଥ୍ୟ ଜଣାଉଛୁ। ଜର୍ମାନୀ ହେଉଛି ଏକ ଦେଶ ଯେଉଁଠାରେ ଆପଣ ରାଜପଥରେ ନିଜ ପସନ୍ଦର ବେଗରେ ଗାଡି ଚଳାଇ ପାରିବେ, ଏଥିପାଇଁ କୌଣସି ଦଣ୍ଡର ବ୍ୟବସ୍ଥା ନାହିଁ। କିନ୍ତୁ ଯଦି ମଝି ରାସ୍ତାରେ ଗାଡ଼ିର ଇନ୍ଧନ ସରିଯାଏ, ତେବେ ଏହା ଅପରାଧ ବୋଲି ଧରାଯିବ। ଏଥିପାଇଁ ଆପଣଙ୍କୁ ଦଣ୍ଡ ଦିଆଯାଇପାରେ କିମ୍ବା ଜରିମାନା ମଧ୍ୟ ହୋଇପାରେ। ବିଶ୍ୱରେ ସର୍ବାଧିକ ସଂଖ୍ୟକ ପ୍ରାଣୀ ଉଦ୍ୟାନ ଏଠାରେ ରହିଛି। ଏହା ବ୍ୟତୀତ ଦୁନିଆର ସର୍ବୋଚ୍ଚ ଚର୍ଚ୍ଚ ମଧ୍ୟ ଏଠାରେ ଅଛି, ଯାହାର ନାମ ‘ଉଲମ ମିନିଷ୍ଟର’। ଏହି ଚର୍ଚ୍ଚର ଉଚ୍ଚତା ପ୍ରାୟ ୫୩୦ ଫୁଟ। ଏହା ଏତେ ବଡ ଯେ ଏଥିରେ ଦୁଇ ହଜାର ଲୋକ ଆରାମରେ ବସିପାରିବେ।
ସାଧାରଣତଃ ଭାରତ ସମେତ ଅନେକ ଦେଶରେ ଲୋକମାନେ କାହାକୁ ଜନ୍ମଦିନ ପୂର୍ବରୁ (ସମୟ ପୂର୍ବରୁ) ଶୁଭେଚ୍ଛା ଜଣାଇ ଥାଆନ୍ତି, କିନ୍ତୁ ଜର୍ମାନୀରେ ଏହା ବ୍ୟାଡ୍ ଲକ୍ ବୋଲି ବିବେଚନା କରାଯାଏ। ଏଠାରେ ଲୋକମାନେ କେବଳ ଜନ୍ମଦିନରେ ହିଁ କାହାକୁ ଅଭିନନ୍ଦନ କିମ୍ବା ଉଇସ କରନ୍ତି। ବିଶ୍ଵର ପ୍ରଥମ ମାଗାଜିନ୍ ୧୬୬୩ ଖ୍ରୀଷ୍ଟାବ୍ଦରେ ଜର୍ମାନୀରେ ଉନ୍ମୋଚିତ ହୋଇଥିଲା। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ସର୍ବାଧିକ ପୁସ୍ତକ ମୁଦ୍ରଣ କରୁଥିବା ଦେଶ ତାଲିକାରେ ଜର୍ମାନୀର ନାମ ମଧ୍ୟ ଅନ୍ତର୍ଭୂକ୍ତ ହୋଇଛି। ପ୍ରତିବର୍ଷ ଏଠାରେ ୯୪,୦୦୦ ରୁ ଅଧିକ ପୁସ୍ତକ ପ୍ରକାଶିତ ହୁଏ। ସାଧାରଣତଃ ଲୋକମାନେ କାହାକୁ ଫୋନ କଲେ କିମ୍ବା ଫୋନ୍ ଉଠାଇଲେ, ସର୍ବପ୍ରଥମେ ‘ହେଲୋ’ କୁହନ୍ତି ଏବଂ ପରେ କଥାବାର୍ତ୍ତା ଆରମ୍ଭ କରନ୍ତି, କିନ୍ତୁ ଏଠାରେ ଫୋନରେ ହ୍ୟାଲୋ କରିବା ପରିବର୍ତ୍ତେ, ଲୋକମାନେ ସିଧାସଳଖ ସେମାନଙ୍କ ନାମ କହି କଥାବାର୍ତ୍ତା ଆରମ୍ଭ କରନ୍ତି।