ଏଠି କ୍ରିକେଟ ମୁଦ୍ରାରେ ପୂଜା ପାଆନ୍ତି ଗଣେଷ, କ୍ରିକେଟ ପ୍ରେମୀଙ୍କ ଅଜବ ନିଶା

0

କ୍ରିକେଟ ଖେଳକୁ ନେଇ ଭାରତୀୟଙ୍କ ମଧ୍ୟରେ ଏକ ବିଶେଷ ଦୁର୍ବଳତା ଦେଖିବାକୁ ମିଳେ। କ୍ରିକେଟରମାନଙ୍କୁ ଏଠି ଭଗବାନ ଭଳି ବିଶ୍ୱାସ କରାଯାଏ। ହେଲେ ଭାରତରେ ଈଶ୍ୱରଙ୍କୁ ମଧ୍ୟ କ୍ରିକେଟ ଅବତାରରେ ପୂଜା କରାଯାଏ ବୋଲି କେବେ ଜାଣନ୍ତି କି ବା ଦେଖିଛନ୍ତି କି? ଆଜି ଆମେ ଆପଣଙ୍କୁ ଏମିତି ଏକ ମନ୍ଦିର ବିଷୟରେ କହିବୁ ଯେଉଁଠି ଈଶ୍ୱର ଓ କ୍ରିକେଟକୁ ଏକାକାର କରାଯାଇଛି। ଏଠାରେ ଈଶ୍ୱର ନିଜେ କ୍ରିକେଟ ଖେଳୁଥିବାର ନଜର ଆସୁଛନ୍ତି । ତାମିଲ ନାଡୁ ରାଜଧାନୀ ଚେନ୍ନାଇର ପୂର୍ବ ଆନା ନଗରରେ ଏଭଳି ଦୃଶ୍ୟ ଦେଖିବାକୁ ମିଳେ। ଏଠାରେ ରହି ଆସୁଥିବା ରାମକୃଷ୍ଣନ ଜଣେ କ୍ରିକେଟ୍ ପ୍ରେମି ହୋଇଥିବା ବେଳେ ୨୦୧୫ କ୍ରିକେଟ ବିଶ୍ବକପ ସମୟରେ ଭାରତ ଜିତିବା ପାଇଁ ବିଭିନ୍ନ ଦେବାଦେବୀଙ୍କ ନିକଟରେ ମାନସିକ କରିଥିଲେ । ତେବେ ସେହି ସମୟରେ ସେ ଯାଚଙ୍ଗା କରିଥିଲେ ଯେ ଯଦି ଭାରତ ବିଶ୍ୱକପରେ ଜିତେ ତେବେ ଗଣେଷଙ୍କ ମନ୍ଦିରଟିଏ ତିଆରି କରିବେ । ହେଲେ ଦୁର୍ଭାଗ୍ୟର ବିଷୟ ସେଥର ଭାରତ ହାରିଥିଲା।
ସେହି ବର୍ଷ ମାର୍ଚ୍ଚ ୨୦ ତାରିଖରେ ଅନୁଷ୍ଠିତ ହୋଇଥିବା ଫାଇନାଲ ମ୍ୟାଚରେ ଅଷ୍ଟ୍ରେଲିଆ ଭାରତ ଠାରୁ ୯୫ ରନରେ ଜିତିଥିଲା । କିନ୍ତୁ ସେହି ବିଶ୍ବକପର ଲିଗ ମ୍ୟାଚ ଗୁଡ଼ିକରେ ଭାରତ ୬ ଥର ଜିତିଥିଲା । ତେଣୁ ମନକୁ ବୁଝାଇ ମନ୍ଦିର ନିର୍ମାଣ ଆରମ୍ଭ କଲେ ରାମକୃଷ୍ଣନ ଓ ତାଙ୍କ ସାଙ୍ଗମାନେ । ମନ୍ଦିର କାମ ଶେଷ ହେଲା, ସେଠି ଗଣେଷ ବି ପୂଜା ପାଇଲେ ହେଲେ ଏଠି ସ୍ଥାପନ ହୋଇଥିବା ଦେବତାଙ୍କ ମୂର୍ତ୍ତି ଦେଖି ଲୋକ ଆଶ୍ଚର୍ଯ୍ୟ ହୋଇଥିଲେ। ଅନ୍ୟ ମନ୍ଦିର ଅପେକ୍ଷା ଏଠାକା ଦେବତା କିଛିଟା ଅଲଗା ଥିଲେ। । ଏଠାରେ ଥିବା ଗଣେଷଙ୍କ ମୂର୍ତ୍ତିଗୁଡିକ ଧ୍ୟାନ କି ଆଶୀର୍ବାଦ କିମ୍ବା ନୃତ୍ୟ ଭଙ୍ଗୀରେ ନୁହେଁ ବରଂ କ୍ରିକେଟ୍ ଖେଳାଳିଙ୍କ ଭଙ୍ଗିରେ ପୂଜା ପାଉଛନ୍ତି । ଯାହାକି ସମସ୍ତଙ୍କୁ ବିସ୍ମିତ କରିଛି । ଏହି ମନ୍ଦିର କ୍ରିକେଟ ବିନାୟକ ମନ୍ଦିର ନାମରେ ନାମିତ କରାଯାଇଛି। ଏହାକୁ ଦେଖି ଅନେକ ଲୋକ ରାମକୃଷ୍ଣନଙ୍କ କ୍ରିକେଟ ପ୍ରେମକୁ ଭୂରି ଭୂରି ପସନ୍ଦ କରିଛନ୍ତି। ତେବେ ଏହି ମନ୍ଦିର ଦେଖିବା ପାଇଁ ବିଭିନ୍ନ ଆଡୁ ଦର୍ଶକ ଏଠିକି ଆସିଥାନ୍ତି।

Leave a comment