ଆସନ୍ତା ୧୮ରୁ ରାଜ୍ୟରେ ପୁଣି ବଢ଼଼ିବ ବର୍ଷା
ଆସନ୍ତା ୧୮ ତାରିଖରୁ ରାଜ୍ୟରେ ପୁଣି ବର୍ଷା ବଢ଼଼ିବ। ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବା ଯୋଗୁଁ ୧୮ ଓ ୧୯ ତାରିଖ ପାଇଁ ବିଭିନ୍ନ ଜିଲ୍ଲାକୁ ପାଣିପାଗ କେନ୍ଦ୍ର ପକ୍ଷରୁ ୟେଲୋ ଆଲର୍ଟ ଜାରି କରାଯାଇଛି। ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ ଆସନ୍ତା ୨ ଦିନ ପର୍ଯ୍ୟନ୍ତ ରାଜ୍ୟରେ ବିଶେଷ ବର୍ଷାର ସମ୍ଭାବନା ନାହିଁ।
ଗତକାଲି ଓଡ଼ିଶା ଉପରେ ରହିଥିବା ଲଘୁଚାପ ଓଡ଼ିଶାଠାରୁ ଦୂରରେ ରହି ବର୍ତ୍ତମାନ ମଧ୍ୟପ୍ରଦେଶ ଉପରେ ସକ୍ରିୟ ରହିଛି। ଏବେ ଏହା ସଦୃଶ ଲଘୁଚାପ ଅବସ୍ଥାରେ ଥିବା ଯୋଗୁଁ ମଧ୍ୟପ୍ରଦେଶ ଓ ପଡ଼ୋଶୀ ଛତିଶଗଡ଼ରେ ବର୍ଷା ହେଉଛି। ଅପରପକ୍ଷେ ମହାନଦୀ ଉପରମୁଣ୍ଡରେ ଲଗାଣ ବର୍ଷା ଯୋଗୁଁ ବିଭିନ୍ନ ନଦୀରେ ଜଳସ୍ତର ବୃଦ୍ଧି ପାଇଛି। ବର୍ତ୍ତମାନ ହୀରାକୁଦ ଜଳଭଣ୍ଡାରରୁ ମୋଟ ୨୨ଟି ଗେଟ୍ ଦେଇ ଜଳ ନିଷ୍କାସିତ ହେଉଛି।
ଗତ ୪ ଦିନରେ ଲଘୁଚାପ ପ୍ରଭାବରେ ରାଜ୍ୟରେ ହାରାହାରି ୧୧୦.୫ ମିମି ବର୍ଷା ରେକର୍ଡ କରାଯାଇଛି। ଏହା ସ୍ୱାଭାବିକ ୩୩.୪ମିମି ବର୍ଷା ତୁଳନାରେ ୨୩୧ ପ୍ରତିଶତ ଅଧିକ। ଏହି ୪ ଦିନରେ ରାଜ୍ୟରେ ୨୮ଜିଲ୍ଲାରେ ସ୍ୱାଭାବିକଠାରୁ ଅତ୍ୟଧିକ ବର୍ଷା ଏବଂ ୨ଜିଲ୍ଲା ମୟୂରଭଞ୍ଜ ଓ ବାଲେଶ୍ୱରରେ ସ୍ୱାଭାବିକଠାରୁ ଅଧିକ ବର୍ଷା ରେକର୍ଡ ହୋଇଛି। ସେହିପରି ସେପ୍ଟେମ୍ୱରରେ ଆଜି ସୁଦ୍ଧା ୨୧୯ ମିମି ବର୍ଷା ରେକର୍ଡ କରାଯାଇଛି। ଏହା ସ୍ୱାଭାବିକ ୧୩୭.୩ ମିମି ତୁଳନାରେ ୬୦ ପ୍ରତିଶତ ଅଧିକ। ଏପର୍ଯ୍ୟନ୍ତ ସେପ୍ଟେମ୍ୱର ମାସର ସ୍ୱାଭାବିକ ବର୍ଷା ୨୩୫.୭ ମିମିର ୯୨ ପ୍ରତିଶତ ଅନୁଭୂତ ହୋଇସାରିଛି।
ଗତ ୨୪ ଘଣ୍ଟାରେ ରାଜ୍ୟରେ ହାରାହାରି ବର୍ଷା ୨୭.୧ ମିମି ରେକର୍ଡ କରାଯାଇଛି। ଏହା ସ୍ୱାଭାବିକ ବର୍ଷା ୬.୯ ମିମି ତୁଳନାରେ ୨୯୩ ପ୍ରତିଶତ ଅଧିକ। ସର୍ବାଧିକ ହାରାହାରି ବର୍ଷା ବଲାଙ୍ଗୀର ଜିଲ୍ଲାରେ ୭୨.୪ ମିମି ରେକର୍ଡ କରାଯାଇଛି, ଯାହା ସ୍ୱାଭାବିକ ବର୍ଷା ୬.୧ ମିମି ତୁଳନାରେ ୧୦୮୭ ପ୍ରତିଶତ ରହିଛି ବୋଲି ପାଣିପାଗ କେନ୍ଦ୍ର ସୂଚନା ଦେଇଛି।