ଆଜି ୨ୟ ଟି-୨୦; ସିରିଜ୍ ଜିତିବା ଲକ୍ଷ୍ୟରେ ଭାରତ

0

ଡବ୍ଲିନ୍ (ଓଡ଼ିଶା ଫାଷ୍ଟ ବ୍ୟୁରୋ): ମଙ୍ଗଳବାର ଭାରତ ଓ ଆୟରଲାଣ୍ଡ ମଧ୍ୟରେ ଟ୍ବେଣ୍ଟି୨୦ ସିରିଜ୍ର ୨ୟ ତଥା ଶେଷ ମ୍ୟାଚ୍ ଖେଳାଯିବ। ରବିବାର ବର୍ଷା ବାଧାପ୍ରାପ୍ତ ମ୍ୟାଚ୍ରେ ଭାରତ ୭ ୱିକେଟରେ ସହଜ ବିଜୟ ହାସଲ କରିଥିଲା। ୨ୟ ମ୍ୟାଚ୍ରେ ମଧ୍ୟ ଭାରତ ଅନୁରୂପ ପ୍ରଦର୍ଶନର ଆଶାରଖିଛି। ଏହାସହ ୨ଟିଯାକ ମ୍ୟାଚ୍ ଜିତି ଭାରତ ଶୃଙ୍ଖଳା ପୋଛିବା ଲକ୍ଷ୍ୟରେ ରହିଛି। ୨ୟ ମ୍ୟାଚ୍ରେ ଭାରତ ଖେଳିନଥିବା ଅନ୍ୟ ଖେଳାଳିଙ୍କୁ ସୁଯୋଗ ଦେଇପାରେ।

ପ୍ରଥମ ମ୍ୟାଚ୍ରେ ଖେଳିବାକୁ ମନୋନୀତ ହେବା ପରେ ଯୁବ ଓପନର ଋତୁରାଜ ଗାଏକ୍ୱାଡ୍ ଦଳରେ ଥିଲେ ହେଁ ଆହତ ହେବାରୁ ବ୍ୟାଟିଂ ପାଇଁ ଆସିନଥିଲେ। ୨ୟ ମ୍ୟାଚ୍ରେ ତାଙ୍କ ସ୍ଥାନରେ ସଞ୍ଜୁ ସାମ୍ସନ କିମ୍ବା ରାହୁଲ ତ୍ରିପାଠୀ ଖେଳିପାରନ୍ତି। ଦୀପକ ହୁଡା ପ୍ରଥମ ମ୍ୟାଚ୍ରେ ଭଲ ବ୍ୟାଟିଂକରିବା ଦଳକୁ ଉତ୍ସାହିତ କରିଛି। ବାମହାତି ପେସ୍ ବୋଲର ଅର୍ଶଦୀପ ସିଂହ ଖେଳିବାର ଯଥେଷ୍ଟ ସମ୍ଭାବନା ଅଛି। ସେ ଆଭେସ୍ ଖାଁ କିମ୍ବା ଉମ୍ରାନ୍ ମାଲିକ୍ଙ୍କ ସ୍ଥାନ ନେଇପାରନ୍ତି। ପ୍ରଥମ ମ୍ୟାଚ୍ରେ ଆୟରଲାଣ୍ଡର ହ୍ୟାରି ଟେକ୍ଟରଙ୍କ ବ୍ୟାଟିଂ ଭାରତୀୟଙ୍କୁ ସୂଚନା ଦେଇଛି ଯେ ଭାରତୀୟ ବୋଲରଙ୍କ ବିପକ୍ଷ ମଧ୍ୟ ନିୟମିତ ସଟ୍ ଖେଳା ଯାଇପାରେ।
ମଙ୍ଗଳବାର ଖେଳାଯିବାକୁ ଥିବା ୨ୟ ଟି୨୦ ମ୍ୟାଚ୍ ମଧ୍ୟରେ ବର୍ଷା ହେବାର ଆଶଙ୍କା ରହିଛି। ବର୍ଷା ହେଲେ ୨ୟ ଇନିଂସରେ ବ୍ୟାଟିଂ କରୁଥିବା ଦଳ ଫାଇଦାରେ ରହିବ। ପ୍ରମୁଖ ଖେଳାଳିଙ୍କ ବିନା ଭାରତ ସହଜରେ ଜିତିବା ଦଳର ମନୋବଳକୁ ଦୃଢ଼ କରିଛି। ଏହି ଶୃଙ୍ଖଳାରେ ଭଲ ପ୍ରଦର୍ଶନ କରି ବିଶ୍ବକପ୍ ପର୍ଯ୍ୟନ୍ତ ଦଳରେ ସ୍ଥାନ ବଜାୟ ରଖିବା ଏବଂ ବିଶ୍ବକପ୍ ପାଇଁ ଦଳରେ ସ୍ଥାନପାଇବା ଲକ୍ଷ୍ୟରେ ସବୁ ଭାରତୀୟ ଖେଳୁଛନ୍ତି। ଭାରତ ବିପକ୍ଷରେ ଆୟରଲାଣ୍ଡ ୪ଟି ଟି୨୦ ଖେଳି ସବୁଥିରେ ପରାସ୍ତ ହୋଇଛି।

Leave a comment