ଆଜି ଆକାଶରେ ଝଲସିବ ନୀଳ ଜହ୍ନ

0

ଆଜି ଆକାଶରେ ଦୃଶ୍ୟମାନ ହେବ ସୁପର ବ୍ଲୁ ମୁନ୍। ରାକ୍ଷୀ ପୂର୍ଣ୍ଣିମାରେ ଆକାଶରେ ଝଲସିବ ନୀଳ ଜହ୍ନ। ଏହା ୨୦୨୪ ମସିହାର ପ୍ରଥମ ସୁପରମୁନ୍ ଭାବେ ଦେଖାଯିବ। ଏହି ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟକୁ ଲୋକେ ଖାଲି ଆଖିରେ ଦେଖିପାରିବେ । ଆକାଶ ମେଘମୁକ୍ତ ଥିଲେ ଓଡ଼ିଶା ତଥା ଭାରତର ସବୁ ଅଞ୍ଚଳରେ ଏହାକୁ ଖାଲି ଆଖିରେ ରାତି ସାରା ଦେଖିହେବ । ରାତି ୧୧ଟା ୫୬ରୁ କାଲି ସୂର୍ଯ୍ୟୋଦୟ ପର୍ଯ୍ୟନ୍ତ ଏହା ଦେଖିବାକୁ ମିଳିବ। ଏକ ଇଂରାଜୀ କ୍ୟାଲେଣ୍ଡର ମାସରେ ଦୁଇଟି ପୂର୍ଣ୍ଣିମା ପଡ଼ିଲେ ଦ୍ବିତୀୟ ପୂର୍ଣ୍ଣିମାକୁ ନୀଳ ଜହ୍ନ ବା ନୀଳ-ସୁପରମୁନ୍ ଭାବେ ନାମିତ କରାଯାଏ ।

ସୁପରମୁନ୍ ଶବ୍ଦଟି ପ୍ରଥମେ ଆମେରିକାର ଜ୍ୟୋତିଷ ରିଚାର୍ଡ ନଲ ୧୯୭୯ ମସିହାରେ ପ୍ରଚଳନ କରିଥିଲେ । ଧୀରେ ଧୀରେ ଏହି ଶବ୍ଦଟି ଲୋକପ୍ରିୟ ହୋଇ ବହୁଳ ବ୍ୟବହାର ହୋଇଆସୁଛି। ବୈଜ୍ଞାନିକଙ୍କ ମତ ଅନୁଯାୟୀ, ଯଦି ଚନ୍ଦ୍ର ଆମଠାରୁ ୩.୬୦ଲକ୍ଷ କିମି ବା ତା’ଠାରୁ ନିକଟରେ ଥିବା ସମୟରେ ଏକ ପୂର୍ଣ୍ଣିମା ପଡ଼େ, ତାହେଲେ ସେହି ଚନ୍ଦ୍ରକୁ ସୁପରମୁନ୍ କୁହାଯାଏ । ସେ ସମୟରେ ଆମକୁ ଚନ୍ଦ୍ର ବଡ଼ ଓ ଉଜ୍ଜ୍ବଳ ଦେଖାଯାଏ। ପ୍ରତିବର୍ଷ ଏଭଳି ଘଟଣା ଘଟିଥାଏ। ଆଜି ଚନ୍ଦ୍ର ଆମକୁ ସାଧାରଣ ଦିନର ପୂର୍ଣ୍ଣ ଚନ୍ଦ୍ରଠାରୁ ପ୍ରାୟ ୯ ପ୍ରତିଶତ ବଡ଼ ଓ ୨୦ପ୍ରତିଶତ ଅଧିକ ଉଜ୍ଜ୍ବଳ ଦେଖାଯିବ । ଏହି ବିରଳ ସୁପର ବ୍ଲୁ ମୁନ୍ ବିଶ୍ୱବ୍ୟାପୀ ଅଗଷ୍ଟ ୧୮ରୁ ୨୦ ମଧ୍ୟରେ ଅଲଗା ଅଲଗା ସମୟରେ ଦେଖାଯାଉଛି ।

Leave a comment