ଅଗ୍ନିକାଣ୍ଡ: ଦୋକାନ ପୋଡ଼ି ଭସ୍ମୀଭୂତ, ମାଲିକ ମୃତ
ଭୁବନେଶ୍ୱର : ଜଟଣୀ ରାଜା ବଜାର ଗୌରୀ ଗାର୍ମେଣ୍ଟରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଥିବା ବେଳେ ସର୍ଟ ସର୍କିଟ ଯୋଗୁ ଏଭଳି ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରାଯାଉଛି । ତେବେ ଆଜି କାର୍ତ୍ତିକ ପୂର୍ଣ୍ଣିମା ପାଇଁ ରାଜାବଜାର ଅଞ୍ଚଳର ସମସ୍ତ ଦୋକାନ ବନ୍ଦ ରହିଥିଲା । ତେବେ ଦୋକାନର ଉପର ମହଲାରେ ଦୋକାନ ମାଲିକ ସୂର୍ଯ୍ୟକାନ୍ତ ମହାପାତ୍ର ଶୋଇଥିବା ବେଳେ ହଠାତ୍ ଅଗ୍ନିକାଣ୍ଡ ଘଟିଥିଲା । କ୍ଷଣିକ ସମୟରେ ତଳ ମହଲାରୁ ଉପର ମହଲାକୁ ବ୍ୟାପିଥିଲା ନିଆଁ ।
ଘଟଣା ସ୍ଥଳରେ ଜଟଣୀ ଓ ଖୋର୍ଦ୍ଧାର ଦୁଇଟି ଅଗ୍ନିଶମ ବିଭାଗର ଗାଡ଼ି ଘଟଣା ସ୍ଥଳରେ ପହଁଚି ନିଆଁକୁ ଆୟତ କରିଥିଲେ । ତେବେ ଉପର ମହଲାରୁ ଗାର୍ମେଣ୍ଟ ମାଲିକ ଶ୍ରୀ ମହାପାତ୍ରଙ୍କୁ ଗ୍ରିଲ୍ ତାଡି ଅଚେତ୍ ଅବସ୍ଥାରେ ଉଦ୍ଧାର କରି ଜଟଣୀ ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ପରେ ସେଠାରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଭୁବନେଶ୍ବର ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଥିଲେ। ବର୍ତ୍ତମାନ ସେ ମୃତ ବୋଲି ସୂଚନା ରହିଛି।
ଅନ୍ୟ ପକ୍ଷରେ ସ୍ଥାନୀୟ ପୋଲିସ ଓ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଂଚି ଅଗ୍ନିକାଣ୍ଡର କାରଣ ଖୋଜିବାରେ ଲାଗିଛନ୍ତି । ରାଜାବଜାର ଅଞ୍ଚଳର ଜଟଣୀର ଏକ ବଡ଼ ମାର୍କେଟ ହୋଇଥିବା ବେଳେ ଶତକଡା ୯୫% ଦୋକାନ ଅଗ୍ନିଶମ ବିଭାଗ ପକ୍ଷରୁ ଅନୁମତି ନେଇନାହାନ୍ତି । ତେଣୁ ଅଗ୍ନିଶମ ବିଭାଗ ପକ୍ଷରୁ ବିଭିନ୍ନ ସମୟରେ ଚଢ଼ାଉ କରାଗଲେ, ଏଭଳି ଅଘଟଣ ରକ୍ଷା ମିଳି ପାରନ୍ତା ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି।